ଦିଲ୍ଲୀରୁ ଗାଏବ ହୋଇଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଶେଷରେ ରାଞ୍ଚିରେ ପ୍ରକଟ ହୋଇଛନ୍ତି। ଇଡି ସହ ଦୀର୍ଘ ୪୦ ଘଣ୍ଟାର ଲୁଚକାଳି ଖେଳ ପରେ ସାମ୍ନାକୁ ଆସିଛନ୍ତି ହେମନ୍ତ ସୋରେନ୍। ରବିବାର ଠାରୁ ଗାଏବ ଥିବା ସୋରେନ୍ ଆସି ରାଞ୍ଚିରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ଶାସକ ଦଳର ସମସ୍ତ ବିଧାୟକଙ୍କ ସହ ସେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ବୈଠକ କରିଛନ୍ତି।
ବୈଠକରେ ଜେଏମଏମ, କଂଗ୍ରେସ ଏବଂ ସିପିଆଇର ବିଧାୟକମାନେ ଅଂଶଗ୍ରହଣ କରିଛନ୍ତି। ଇଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ଗିରଫ କରିବା ଆଶଙ୍କା କରି ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିବା ଲାଗି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱାଧୀନ ଶାସକ ମେଣ୍ଟର ସମସ୍ତ ବିଧାୟକମାନଙ୍କୁ ରାଞ୍ଚିରେ ଉପସ୍ଥିତ ରହିବା ଲାଗି କୁହାଯାଇଥିଲା। ବ୍ୟାଗ ସହିତ ପ୍ରସ୍ତୁତ ରହିବାକୁ ଶାସକ ଦଳକୁ ନିର୍ଦ୍ଦେଶ ଦିଆଯାଇଥିଲା।
ସେପଟେ ଜମି ଦୁର୍ନୀତିର ମନିଲଣ୍ଡରିଂ ମାମଲାରେ ଆସନ୍ତାକାଲି ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିବ। ଏପରିକି ହେମନ୍ତ ସୋରେନ୍ଙ୍କୁ ଇଡି ଗିରଫ କରିପାରେ ବୋଲି କୁହାଯାଉଛି।