ଭଦ୍ରକ ବିଜେଡିରେ କାହାକୁ ମିଳିବ ଟିକେଟ୍ ?

ଭଦ୍ରକ ବିଜେଡିରେ କାହାକୁ ମିଳିବ ଟିକେଟ୍ ?

ଉତ୍ତର ଓଡିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ବିଧାନସଭା କ୍ଷେତ୍ର ଭଦ୍ରକ । ଆଗରୁ କଂଗ୍ରେସର ଗଡ ଥିବା ଏଇ ଆସନ ଏବେ ବିଜେଡି ଦଖଲରେ । ଗତ ୩ଟି ନିର୍ବାଚନରେ ଏଠି ବିଜେଡିର ବିଜୟ ପତାକା ଉଡୁଛି । କିନ୍ତୁ ଏଥର ପରିସ୍ଥିତି ଟିକେ ଅଲଗା । ଏଥର ଭଦ୍ରକ ଆସନରୁ ବିଜେଡି ଟିକେଟ୍ ପାଇଁ ମାଳମାଳ ଆଶାୟୀ ଗୋଡ ଟେକି ବସିଛନ୍ତି । ଯେଉଁଥିରେ ଆଗରେ ରହିଛନ୍ତି ଅସୀତ ପଟ୍ଟନାୟକ ।

ଭଦ୍ରକ ବିଜେଡିର ଭେଟେରାନ୍ ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗୋଳ କିଶୋରଙ୍କ ପୁଅ ଅସୀତ ଭଦ୍ରକ ଆସନକୁ ନେଇ ବେଶ୍ ଆଶାବାଦୀ । କାରଣ ତାଙ୍କ ବାପା ଯୁଗୋଳ ପଟ୍ଟନାୟକ କଂଗ୍ରେସରୁ ୩ ଥର ଓ ବିଜେଡିରୁ ଦୁଇ ଥର କୁ ମିଶାଇ ମୋଟ୍ ୫ ଥର ବିଧାୟକ ଥିଲେ । କିନ୍ତୁ ୨୦୧୯ ରେ ଦଳ ତାଙ୍କୁ ଟିକେଟ୍ ନଦେଇ ଏବେକାର ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା । ଗତଥର ବାପାଙ୍କ ହାତରୁ କ୍ଷମତା ଯାଇଥିବାରୁ ଏଥର ପୁଅ ପାଖକୁ ଫେରିବା ନେଇ ତାଙ୍କ ସମର୍ଥକଙ୍କ ମହଲରେ ଚର୍ଚ୍ଚା ହେଉଛି ।

ସେପଟେ ସମାଜସେବୀ ଜ୍ୟୋତି ପ୍ରକାଶ ମହାନ୍ତି ଓ ରାମ ଚନ୍ଦ୍ର ବେହେରାଙ୍କ ନାଁ କୁ ନେଇ ମଧ୍ୟ ଭଦ୍ରକ ବିଜେଡିରେ ବେଶ୍ ଚର୍ଚ୍ଚା ହେଉଛି । ସେପଟେ ଭଦ୍ରକ ଆସନରେ କେବେ ବି ବିଜୟର ବାନା ଉଡାଇନଥିବା ବିଜେପି ୨୦୧୯ ନିର୍ବାଚନରେ ସାନ୍ତ୍ୱନା ମୂଳକ ଫଳାଫଳ ଆଣିଥିଲା । ପୂର୍ବରୁ ତୃତୀୟ ସ୍ଥାନରେ ରହୁଥିବା ବିଜେପି ଗତ ନିର୍ବାଚନରେ ଦ୍ୱିତୀୟ ସ୍ଥାନକୁ ଆସିଥିଲା । ଗତ ଦୁଇଟି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଡାକ୍ତର ପ୍ରଦୀପ ନାୟକ ଏଥର ବି ଦଳ ପକ୍ଷରୁ ମୈଦାନକୁ ଓହ୍ଲାଇବାକୁ ଆଶା ରଖିଛନ୍ତି । ଗତ ୪ ବର୍ଷ ଧରି ବିଜେପିର ମଙ୍ଗ ଧରିଥିବା ଜିଲ୍ଲା ସଭାପତି ହେମନ୍ତ ପାଢୀ ମଧ୍ୟ ଟିକେଟ୍ ପାଇଁ ଆଶାୟୀ ଥିବା ଆଲୋଚନା ହେଉଛି ।

ତେବେ ୨୦୦୦ ଏବଂ ୨୦୦୪ ରେ ବିଜେଡି ଓ ବିଜେପିକୁ କଡା ଟକ୍କର ଦେଇ କ୍ଷମତାକୁ ଆସିଥିବା କଂଗ୍ରେସ ଆଉ ସେଭଳି ସ୍ଥିତିରେ ନାହିଁ । ପୁରୁଣା ଗଡ ହିସାବରେ କଂଗ୍ରେସ ଏଠୁ ଜିତିବା ପାଇଁ ଚେଷ୍ଟା କରୁଥିବା ବେଳେ ଏହି ଆସନ ବିଜେଡି ହାତରୁ ଆଉ ଫେରିନି । ତେବେ ଆସନ ପାଇଁ ଅନେକ ସ୍ଥାନରେ ବିଜେଡି ଫାଳ ଫାଳ ହେଉଥିବାରୁ ଭଦ୍ରକରେ ଟିକେଟ୍ ପାଇଁ ଆଶାୟୀ ଥିବା ପ୍ରାର୍ଥୀଙ୍କୁ ଦଳ କିପରି ବୁଝାଇବ ଏବଂ କାହାକୁ ଟିକେଟ୍ ଦେବ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *