ହେଭିୱେଟ ନେତାଙ୍କ ଶେଷ ନିର୍ବାଚନ

ହେଭିୱେଟ ନେତାଙ୍କ ଶେଷ ନିର୍ବାଚନ

୨୪ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସଜବାଜ ଆରମ୍ଭ କରିସାରିଲେଣି । କ୍ଷମତା ହାତେଇବା ଲକ୍ଷ୍ୟରେ ସବୁ ଦିଗକୁ ଦେଖି ପ୍ରାର୍ଥୀ ଚୟନ କରୁଛନ୍ତି ଦଳ । କିଏ ଦଳର ହେଭିୱେଟ ନେତାଙ୍କୁ ପୁଣି ଥରେ ଟିକେଟ୍ ଦେଉଛି ତ ଆଉ କିଏ ନୂଆ ଚେହେରାକୁ ମୈଦାନରେ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରୁଛି । ଏହାରି ମଧ୍ୟରେ ଓଡିଶା ରାଜନୀତିର ଅନେକ ଚର୍ଚ୍ଚିତ ଚେହେରାଙ୍କର ୨୪ ନିର୍ବାଚନ ଶେଷ ନିର୍ବାଚନ ହେବ ବୋଲି ଚର୍ଚ୍ଚା ହେଉଛି । ଦଶନ୍ଧି ଦଶନ୍ଧି ଧରି ରାଜନୀତିରେ ନିଜର ପ୍ରଭାବ ଜାହିର କରିଆସୁଥିବା ରାଜନେତାମାନେ ଆଉ ନିର୍ବାଚନୀ ମୈଦାନରେ ନଜର ଆସିବେନି ।

କାରଣ ବୟସର ଅପରାହ୍ଣରେ ପହଁଞ୍ଚିଲେଣି ଅନେକ ହେଭିୱେଟ ନେତା । ତେବେ ଏମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ପଶ୍ଚିମ ଓଡିଶାର ଜଣାଶୁଣା ଚେହେରା ତଥା ୩ ଥରର ବିଧାୟକ ଏବଂ ୪ ଥରର ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ବିଜୁ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକଙ୍କର ଏକଦମ ଘନିଷ୍ଠ ହେଉଛନ୍ତି ପ୍ରସନ୍ନ । କିନ୍ତୁ ବୟସ ଆସି ୭୪ ହେଲାଣି । କୁହାଯାଉଛି ୨୦୨୪ ହୋଇପାରେ ତାଙ୍କର ଶେଷ ମ୍ୟାଚ । ରାଜ୍ୟ ରଜାନୀତିର ଅନ୍ୟତମ ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ର । ୪ଥରର ବିଧାୟକ ଏବଂ ବିଜେଡିର ପ୍ରତିଷ୍ଠାତା ସଦସ୍ୟ । ହେଲେ ୨୦୦୦ ମସିହାରୁ ବିଧାନସଭା ମାଟି ମାଡିପାରୁନାହାନ୍ତି ବିଜୟ । କୁହାଯାଉଛି କି ୨୦୨୪ ତାଙ୍କର ବି ଶେଷ ଲଢେଇ ହୋଇପାରେ । ବିଜେପିର ଉପକୂଳିଆ ଟାଣୁଆ ନେତା ଖାରବେଳ ସ୍ୱାଇଁ । ୩ ଥରର ସାଂସଦ ହୋଇଥିବା ଖାରବେଳଙ୍କ ବୟସ ମଧ୍ୟ ୭୦ ଟପିଲାଣି । ସେ ୨୦୧୯ ମସିହାରେ କନ୍ଧମାଳରୁ ସାଂସଦ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ୨୦୨୪ରେ ସେ ବାଲେଶ୍ୱରରୁ ଲଢିବା ପାଇଁ ଇଚ୍ଛୁକ ଥିବା କୁହାଯାଉଛି ।

ସେପଟେ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କର ମଧ୍ୟ ଆଗାମୀ ନିର୍ବାଚନ ଶେଷ ନିର୍ବାଚନ ହେବ ବୋଲି ରାଜନୀତିରେ ଚର୍ଚ୍ଚା ହେଉଛି । ନରସିଂହ ୫ଥରର ଅପ୍ରତିଦ୍ୱନ୍ଦୀ ବିଧାୟକ । ବିଧାନସଭାରେ ଶାଣିତ ତଥ୍ୟ ଭିତ୍ତିକ ଚୁକ୍ତିରେ ସରକାରଙ୍କୁ ଘାଇଲା କରନ୍ତି ନରସିଂହ । ଏବେ ନରସିଂହଙ୍କ ବୟସ ୮୩ ଅତିକ୍ରମ କଲାଣି । ତେଣୁ ସେ ୨୪ ଲଢେଇରେ ଲଢୁଆ ହେବେ କି ନାହିଁ ତା ଉପରେ ମଧ୍ୟ ନଜର ରହିଛି । ତେବେ ଏମାନଙ୍କ ସହ ଆହୁରି ଅନେକ ନେତା ଏହି ଲିଷ୍ଟରେ ସାମିଲ ଅଛନ୍ତି . ପଦ୍ମନାଭ ବେହେରା, ବଦ୍ରି ପାତ୍ର, ପ୍ରଫୁଲ୍ଲ ସାମଲ, ଦେବୀ ମିଶ୍ର, ଅମର ଶତପଥୀ, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁଙ୍କ ଭଳି କିିଛି ଚେହେରା ୨୪ ଲଢେଇରେ ନିଜେ ପ୍ରତିନ୍ଦ୍ୱନ୍ଦୀ କରିବେ ନହେଲେ ସେମାନଙ୍କ ପୁଅ ପାଇଁ ଲବି କରିବେ । ଯଦି ସେମାନଙ୍କୁ ସୁଯୋଗ ମିଳେ ତେବେ ୨୦୨୪ ହେବ ସେମାନଙ୍କ ଶେଷ ପରୀକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *