ଅଫେରା ରାଇଜରେ ଓଡ଼ିଶା ରାଜନୀତିର ମହାଦ୍ରୁମ ଡାକ୍ତର ଦାମୋଦର ରାଉତ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସକାଳ ୫ଟା ୨୩ ମିନିଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୮୩ ବର୍ଷ ବୟସରେ ସେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଆରପାରିକୁ ଚାଲିଯାଇଛନ୍ତି । ଓଡିଶା ରାଜନୀତିରେ ଦାମୋଦର ରାଉତ ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ପରିଚିତ । ପ୍ରଥମେ ଜନତା ଦଳ ଓ ପରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ବିଜେଡି ସରକାରରେ ମନ୍ତ୍ରୀ ଭାବେ ଦୀର୍ଘ ଦିନ ଧରି ମନ୍ତ୍ରୀ ଭାବେ କାର୍ୟ୍ୟଭାର ସମ୍ଭାଳିଥିଲେ । ସେ ଓଡିଶା ବିଧାନସଭାରେ ବିଧାୟକ ଭାବେ ୭ଥର କାର୍ୟ୍ୟ କରିବାର ସୁଯୋଗ ପାଇଛନ୍ତି । ୧୯୭୯ରୁ ୨୦୧୭ ଯାଏଁ ସେ ବିଭିନ୍ନ ସମୟରେ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି । ଏବେ ଦାମଙ୍କ ସରକାରୀ ବାସ ଭବନରେ ତାଙ୍କର ଅନ୍ତିମ ଦର୍ଶନ ପାଇଁ ରାଜନେତା ଏବଂ ସମ୍ପର୍କୀୟ ଉପସ୍ଥିତ ରହିଛନ୍ତି । ଏଠାରୁ ଦାମଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନ ନିଆଯିବାର ବ୍ୟବସ୍ଥା କରାଯାଉଛି । ସେଠାରୁ କୁଜଙ୍ଗ -ପାରାଦ୍ବୀପ ନିଆଯିବ। ପରେ ଏରସମା ଏବଂ ଏରସମାରୁ ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି ।