ବିଜେଡି-ବିଜେପି ପ୍ରାର୍ଥୀଙ୍କୁ ପାନେ ଦେବେ ସ୍ୱାଧୀନ ପ୍ରାର୍ଥୀ !

ବିଜେଡି-ବିଜେପି ପ୍ରାର୍ଥୀଙ୍କୁ ପାନେ ଦେବେ ସ୍ୱାଧୀନ ପ୍ରାର୍ଥୀ !

ଏଥର ନିର୍ବାଚନରେ ଓଲଟିବ ବାଜି । ବିଜେଡି-ବିଜେପିର ବିଜୟ ରାସ୍ତାରେ କଣ୍ଟା ସାଜିବେ ସ୍ୱାଧୀନ ପ୍ରାର୍ଥୀ । ହଁ ଦର୍ଶକବନ୍ଧୁ, ଦଳରେ ଦଶନ୍ଧି ଦଶନ୍ଧି ଧରି ରହିବା ପରେ ବି ଚଳିତ ନିର୍ବାଚନରେ ଅନେକ ପୁରୁଖା ନେତାଙ୍କୁ ଟିକେଟ୍ ମିଳିନି । ଏପରିକି ଟିକେଟ ପାଇଁ ଅନ୍ୟ ଦଳକୁ ଡିଆଁ ମାରିଥିବା ନେତାଙ୍କୁ କୋଳେଇ ନେଇଥିଲେ ମଧ୍ୟ ଟିକେଟ ପାଇଁ ସେମାନଙ୍କୁ ନିରାଶ ହେବାକୁ ପଡିଛି । ଯାହାକୁ କେନ୍ଦ୍ର କରି ଅନେକ ନେତା ଏଥର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇ ଛିଡା ହୋଇଛନ୍ତି । ତେବେ ଏହି କ୍ରମରେ ଶୀର୍ଷରେ ରହିଛନ୍ତି ବିଜେଡିର ଆଗଧାଡିର ନେତା ତଥା ନିମାପଡାର ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାସ । ସମୀରଙ୍କୁ ବିଜେଡି ଏଥର ଟିକେଟ ଦେଇନଥିବାରୁ ସେ ସ୍ୱାଧୀନ ପ୍ରାର୍ଥୀ ହୋଇ ଲଢିବେ ବୋଲି ପ୍ରାୟତ ସ୍ପଷ୍ଟ ହୋଇଛି । ସମୀରଙ୍କ ପରି ଖୋର୍ଦ୍ଧା ବିଜେପିର ଚର୍ଚ୍ଚିତ ଚେହେରା କାଳୁ ଖଣ୍ଡାୟତରାୟ ମଧ୍ୟ ଟିକେଟ ନମିଳିବାରୁ ବିଜେପି ଛାଡି ସ୍ୱାଧୀନ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି । ବିଜେପି ପାଇଁ ୧୦ ବର୍ଷ କାମ କରିଥିଲେ ମଧ୍ୟ ଟିକେଟ ପାଇଁ ତାଙ୍କୁ ନିରାଶ ହେବାକୁ ପଡିଛି । ୧୦ ବର୍ଷର ସମ୍ପର୍କ ଅପେକ୍ଷା ୧୦ ଦିନର ସମ୍ପର୍କ ଦଳ ପାଇଁ ଦରକାରୀ ହୋଇଗଲା ବୋଲି କାଳୁ ପରୋକ୍ଷରେ କହିଥିଲେ । ସେହିପରି ଯାଜପୁର ଜିଲ୍ଲାର ବରୀ ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ହେଉଛନ୍ତି ଦେବାଶିଷ ନାୟକ । ସେ ବରୀ ଆସନରୁ ବିଜେଡି ଟିକେଟରୁ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଗତ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ଯେଉଁ ରାଗରେ ସେ ଚଳିତ ନିର୍ବାଚନ ପୂର୍ବରୁ ଦଳ ଛାଡି ବିଜେପି ଶିବିରକୁ ଆସିଥିଲେ । କିନ୍ତୁ ସେଠାରୁ ମଧ୍ୟ ତାଙ୍କ ଟିକେଟ ପାଇବା ଆଶା ଆଶାରେ ରହିଯାଇଛି । ଅନ୍ୟପଟେ ଖଣ୍ଡପଡାରୁ ମଧ୍ୟ ନୂଆ ଚେହେରାଙ୍କୁ ଦଳ ଭରସା କରିଛି । ଖଣ୍ଡପଡାର ପୂର୍ବତନ ବିଧାୟକ ସୌମ୍ୟ ପଟ୍ଟନାୟକ ବିଜେଡିରୁ ଆଉଟ୍ ହେବା ପରେ ସେ ଏଥର ଖଣ୍ଡପଡାରୁ ପ୍ରାର୍ଥୀ ହେବେ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଯାହା ପରେ ଏହି ଆସନରୁ ଅନୁଭବ ପଟ୍ଟନାୟକ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ ହୋଇଥିଲା । କିନ୍ତୁ ଅନୁଭବଙ୍କ ଟିକେଟ କାଟି ଦଳ ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ଯାହା ପରେ ସୌମ୍ୟ ଏବଂ ଅନୁଭବ ଉଭୟ ଏବେ ସ୍ୱାଧୀନ ପ୍ରାର୍ଥୀ ହୋଇ ଛିଡା ହେବାକୁ ଅଣ୍ଟା ଭିଡିଲେଣି । ତେବେ ଏମାନଙ୍କ ଭଳି ରାଜ୍ୟର ଅନେକ ପୁରୁଖା ନେତା ଏଥର ସ୍ୱାଧୀନ ଭାବେ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଦେଖାଯାଉ ଏମାନଙ୍କ ଠାରୁ ଟିକେଟ ଛଡାଇ ନେବାର ପରିଣାମ ଦଳ ଉପରେ କେତେ ଭାରି ପଡୁଛି ଏବଂ ଏମାନେ ଦଳର ବିଜୟ ପଥରେ ବ୍ରେକ ଲଗାଇ ପାରୁଛନ୍ତି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *