ବିଜେପିରେ ଅଣନିଃଶ୍ୱାସୀ ହେଉଛନ୍ତି ମହିଳା !

ବିଜେପିରେ ଅଣନିଃଶ୍ୱାସୀ ହେଉଛନ୍ତି ମହିଳା !

ବିଜେପିରେ ନାରୀ ନେତ୍ରୀଙ୍କୁ ମିଳୁନି ଉଚିତ୍ ସମ୍ମାନ । ଏଥପାଇଁ ଦଳ ଛାଡୁଛନ୍ତି ବିଜେପିର ଆଗଧାଡିର ନେତ୍ରୀ । ଏକଥା ଆମେ କହୁନୁ, ନିଜେ ବିଜେପି ଛାଡିଥିବା ନାରୀନେତ୍ରୀମାନେ ଦଳରୁ ଇସ୍ତଫା ଦେବା ପଛର କାରଣ ଦର୍ଶାଇ ଦଳ ଛାଡିଛନ୍ତି । ଯେଉଁଥିରେ ଆଗରେ ରହିଛନ୍ତି ନୟାଗଡର ଚର୍ଚ୍ଚିତ ଚେହେରା ଇରାନୀ ରାୟ । ନୟାଗଡ ବିଜେପିରେ ଇରାନୀ ରାୟଙ୍କର ଦବଦବା ରହିଛି । କିନ୍ତୁ ଏବେ ସେ ବିଜେଡିରେ । ଦଳରେ ଦୀର୍ଘ ବର୍ଷ ଧରି ରହିବା ପରେ ବି ଦଳ ତାଙ୍କୁ ଉଚିତ୍ ସମ୍ମାନ ଦେଇନଥିବା ଅଭିଯୋଗ କରି ସେ କାନ୍ଦି କାନ୍ଦି ବିଜେଡିରେ ସାମିଲ ହୋଇଥିଲେ । ଏପରିକି ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଥିବା ମତପ୍ରକାଶ କରିଥିଲେ । ଦଳକୁ ସୁଦୃଢ କରିବା ପାଇଁ ନିଜ ରକ୍ତକୁ ଝାଳ ପରି ବୁହାଇବା ପରେ ମଧ୍ୟ ତାଙ୍କୁ ଦଳରେ ସେତେଟା ସମ୍ମାନ ମିଳିଲାନି ବୋଲି ସେ ଦଳରୁ ଇସ୍ତଫା ଦେଇଥିବା ଗଣମାଧ୍ୟମ ଆଗରେ କହିଥିଲେ । ସେହିପରି ବିଜେପି ପକ୍ଷରୁ କଥା କଥାକେ ରାଜ୍ୟ ସରକାରଙ୍କୁ ଟାଗେଟ କରୁଥିବା ଫାୟାର ବ୍ରାଣ୍ଡ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ପଦ୍ମ ଛାଡି ଶଙ୍ଖ ଧରିଛନ୍ତି । ବିଗତ ଦଶ ବର୍ଷ ଧରି ସେ ବିଜେପିରେ ସକ୍ରିୟ ରହିଥିଲେ । କିନ୍ତୁ ନିର୍ବାଚନ ଆସିଲେ ଦଳ ତାଙ୍କର ଅବଦାନକୁ ଭୁଲିଯାଏ । ଟିକେଟ ପାଇଁ ଦୁଇ ଦୁଇ ଥର ଆଶାବାଦୀ ଥିବା ଲେଖାଶ୍ରୀଙ୍କୁ ଦଳ ନିରାଶ କରିବାରୁ ଶେଷରେ ସେ ଦଳ ଛାଡି ବିଜେଡି ଶିବିରରେ ଏଣ୍ଟ୍ରି ମାରିଥିଲେ । ଏପରିକି ଦଳରେ ଗୁଣ୍ଡୁଚି ମୂଷା ହୋଇ କାମ କରିବେ ବୋଲି କହିବାକୁ ପଛାଇ ନଥିଲେ ଲେଖାଶ୍ରୀ । ଆଉ ଏବେ ଏହି ଲିଷ୍ଟରେ ଯୋଡି ହୋଇଛନ୍ତି ଅଭିନେତ୍ରୀ ଜିନା ସାମଲ । ବିଜେଡିରେ କୋଣଠେସା ହେଉଥିବା ଅଭିଯୋଗ ଆଣି ବିଜେଡିରୁ ଅନେକ ଅଭିନେତା ବିଜେଡି ଛାଡି ବିଜେପିକୁ ଯାଇଛନ୍ତି । କିନ୍ତୁ ବିଜେପିରେ ଜିନାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ସେ ବିଜେଡିର ହାତ ଧରିଛନ୍ତି । ତେବେ ଏହି ତିନି ଜଣ ନାରୀ ନେତ୍ରୀଙ୍କର ରାଜ୍ୟ ରାଜନୀତିରେ ଦବଦବା ରହିଥିବା ବେଳେ ଏମାନଙ୍କ ଅଭିଯୋଗକୁ ନେଇ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ରାଜନୀତିରେ ଦଳ ବଦଳ ଏକ ନିତିଦିନିଆ କଥା ହୋଇଥିବାରୁ ଏମାନେ ଟିକେଟ ପାଇଁ ଦଳ ପରିବର୍ତ୍ତନ କରିଥିବା ସାଧାରଣରେ ଆଲୋଚନା ଏବେ ବି ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *