ଖଡିଆଳରେ ସତ୍ତା ବଦଳାଇବେ ଅଧିରାଜ !

ଖଡିଆଳରେ ସତ୍ତା ବଦଳାଇବେ ଅଧିରାଜ !

ଏଥର ଖଡିଆଳରେ ସତ୍ତା ପରିବର୍ତ୍ତନ କରିବେ କି ଅଧିରାଜ ପାଣିଗ୍ରାହୀ ? ପୁଣି ଥରେ ଖଡିଆଳରେ ସରକାର ଗଢିବ କି ବିଜେଡି ? ଏଭଳି କିଛି ପ୍ରଶ୍ନ ଏବେ ରାଜ୍ୟ ରାଜନୀତିରେ ମୁଣ୍ଡ ଟେକିଛି । ଲଗାତାର ୩ ଥର ଏହି ଆସନରୁ ହାରିବା ପରେ ଏଥର ବିଜେଡି ଖଡିଆଳ ବିଧାନସଭା ଆସନରେ ପୁଣି ଫର୍ମକୁ ଫେରିବ ନା ନାହିଁ ତାକୁ ନେଇ ବିଜେଡି ଛାତି ଧଡଧଡ ହେଉଛି । କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଏହି ଆସନରେ ୩ ଦଳର ଦବଦବା ରହିଆସିଛି । କେବେ ବିଜେଡି ତ କେବେ ବିଜେପି ଆଉ କେବେ କଂଗ୍ରେସ ଏହି ଆସନରେ ନିଜ ବିଜୟ ରଥ ଗଡାଇଆସିଛନ୍ତି । ବିଜେଡି ଏହି ଆସନରେ ୨୦୦୦ ଏବଂ ୨୦୦୪ ମସିହାରେ ଜିତିଥିବା ବେଳେ ବିଜେପି ୨୦୦୯ ଏବଂ ୨୦୧୪ରେ ଏଠାରେ ସରକାର ଗଢିଥିଲା । ଏବଂ ଗତ ନିର୍ବାଚନରେ କଂଗ୍ରେସ ଏଠାରେ ଶାସନ ଗାଦିରେ ବସିଥିଲା । କିନ୍ତୁ ଏଥରର ଦୃଶ୍ୟ ଟିକେ ଅଲଗା । ୨୦୧୯ ନିର୍ବାଚନରେ ଏଠାରେ ବିଧାୟକ ହୋଇଥିବା କଂଗ୍ରେସ ନେତା ଅଧିରାଜ ପାଣିଗ୍ରାହୀ ଏବେ ଶଙ୍ଖ ଦଳରେ । କିଛି ମାସ ପୂର୍ବରୁ ସେ ବିଜେଡିରେ ସାମିଲ ହୋଇଛନ୍ତି । ଏବଂ ଶଙ୍ଖ ଚିହ୍ନରୁ ଖଡିଆଳ ମଇଦାନକୁ ଓହ୍ଲାଇଛନ୍ତି । ଆଉ କୁହାଯାଉଛି କି ଏଥର ଅଧିରାଜ ବିଜେଡି ପାଇଁ ବରଦାନ ସାଜିପାରନ୍ତି । ରାଜନୀତିରେ ଅଧିରାଜ ଜଣେ ଅଭିଜ୍ଞ ରାଜନେତା ହୋଇଥିବା ବେଳେ ତାଙ୍କର ବେଶ୍ ଦକ୍ଷତା ରହିଛି । କଂଗ୍ରେସରୁ ଦୁଇ ଦୁଇ ଥର ସେ ଏହି ଆସନରେ ପ୍ରତିଦ୍ୱନ୍ଦିତା କରିଛନ୍ତି । ୨୦୧୪ ନିର୍ବାଚନରେ ସେ ଦ୍ୱିତୀୟ ସ୍ଥାନକୁ ଆସିଥିବା ବେଳେ ୨୦୧୯ ନିର୍ବାଚନରେ ସେ ବାଜି ମାରିନେଇଥିଲେ । ଆଉ ଏବେ ସେ ନୂଆ ଦଳରୁ ନିଜର ପୁରୁଣା ଗଡରେ ଭାଗ୍ୟ ପରୀକ୍ଷା କରିବାକୁ ଅଣ୍ଟ ଭିଡିଛନ୍ତି । ତେବେ ଦେଖାଯାଉ ସେ ଏହି ପରୀକ୍ଷାରେ କେତେ ସଫଳ ହେଉଛନ୍ତି ନା ପୁଣି ଥରେ ବିଜେଡି ପାଇଁ ଏହି ଆସନ ସାତ ସପନ ହେଉଛି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *