ନିର୍ବାଚନକୁ ଆଉ ମାତ୍ର ୫ ଦିନ ବାକି ରହିଲା । ୫ ଦିନ ପରେ ରାଜ୍ୟରେ ଆରମ୍ଭ ହୋଇଯିବ ଗଣତନ୍ତ୍ରର ମହାଯୁଦ୍ଧ । କିନ୍ତୁ ଏଯାଏଁ ବିଜେଡିର ନିର୍ବାଚନୀ ଇସ୍ତାହାରର ଚିହ୍ନବର୍ଣ୍ଣ ମିଳୁନି । ବିଜେପି ପକ୍ଷରୁ ଜାରି କରାଯାଇଥିବା ଇସ୍ତାହାରକୁ ମିଛ କହି ବିଜେଡି ଟାର୍ଗେଟ କରୁଥିଲା । କିନ୍ତୁ ନିଜେ ବିଜେଡି ଏଯାଏଁ କାହିଁକି ଦଳର ମେନିଫେଷ୍ଟୋ ଜାରି କରିନି ତାକୁ ନେଇ ଦ୍ୱନ୍ଦ୍ୱ ବଢିଛି । ଶାସକ ଦଳକୁ ଗାଦିଚ୍ୟୁତ କରି ରାଜ୍ୟରେ ସରକାର ଗଢିବା ପାଇଁ ବିଜେପି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି । ଏପରିକି ଏହାକୁ ଜନସାଧାରଣଙ୍କ ପାଖରେ ପହଁଞ୍ଚାଇବା ପାଇଁ ଉଦ୍ୟମ ଜାରି କରିଛି । କିନ୍ତୁ ବିଜେଡି ଚୁପ୍ ବସିଛି । ଅନ୍ୟପଟେ ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହେବାର ଅନେକ ଦିନ ବିତି ଯାଇଥିଲେ ମଧ୍ୟ କେବଳ ଦୁଇ ଜଣହିଁ ପ୍ରଚାରକୁ ଜୋରଦାର ରଖିଛନ୍ତି । କେବଳ ଏକ ନମ୍ବର ଏବଂ ଦୁଇ ନମ୍ବର ଷ୍ଟାର ପ୍ରଚାରକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନ ହିଁ ପ୍ରଚାରରେ ନଜର ଆସୁଛନ୍ତି । ୩ ନମ୍ବର ସ୍ଥାନରେ ପ୍ରକାଶ ପାଇଥିବା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସ କେବଳ ସମ୍ବଲପୁର ବ୍ୟତୀତ ଆନ୍ୟ କେଉଁଠି ପ୍ରଚାର କରୁଥିବା ନଜର ଆସୁନାହାନ୍ତି । ଯାହାକୁ ନେଇ ଦ୍ୱନ୍ଦ୍ୱ ବଢିଲାଣି ଯେ, ବିଜେଡି ଶିବିରରେ ବୋଧେ କିଛି ଠିକ୍ ଚାଲୁନି । ତେବେ ଦେଖାଯାଉ ବିଜେଡିର ନିର୍ବାଚନୀ ଇସ୍ତାହାର କେବେ ଜାରି ହେଉଛି ଏବଂ ବିଜେଡିର ଅନ୍ୟ ଷ୍ଟାର ପ୍ରଚାରକମାନେ କେବେ ମଇଦାନକୁ ଓହ୍ଲାଉଛନ୍ତି ।
You can share this post!
author