ଆକ୍ସନ ମୋଡରେ ବିଜେଡି…ବିଧାୟକ ପଦରୁ ହଟିବେ ୪ ନେତା !

ଆକ୍ସନ ମୋଡରେ ବିଜେଡି…ବିଧାୟକ ପଦରୁ ହଟିବେ ୪ ନେତା !

କିଛି ଦିନ ହେବ ବିଜେଡିରୁ ଅନେକ ନେତା ଦଳ ଛାଡି ବିରୋଧୀ ଦଳରେ ସାମିଲ ହେଉଛନ୍ତି । ଏମାନଙ୍କ ମଧ୍ୟରେ କିଏ ମନ୍ତ୍ରୀ ତ ଆଉ କିଏ ଅନେକ ଥର ବିଧାୟକ ରହିଆସିଛନ୍ତି । କିନ୍ତୁ ଚଳିତ ନିର୍ବାଚନରେ ଟିକେଟ କଟିବାରୁ ଏମାନଙ୍କ ମଧ୍ୟରୁ ଅନେକ ନେତା ଦଳ ଛାଡି ବିରୋଧୀଙ୍କ ସହ ହାତ ମିଳାଇଛନ୍ତି । ଯାହାକୁ ନେଇ ଏବେ ଆକ୍ସନ ମୋଡକୁ ଆସିଯାଇଛି ବିଜୁ ଜନତା ଦଳ । ଯେଉଁ ନେତାମାନେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ଏବେ ଦଳ ଛାଡି ବିରୋଧୀ ଦଳକୁ ଯାଇଛନ୍ତି ସେମାନଙ୍କ ବିଧାୟକ ପଦ ରଦ୍ଦ କରିବାକୁ ଯୋଜନା କରିଛି ବିଜେଡିା ଏପିରିକି କିଛି ଦିନ ପୂର୍ବରୁ ଦଳ ଛାଡି ଅନ୍ୟ ଦଳରେ ସାମିଲ ହୋଇଥିବା ନେତାଙ୍କ ମଧ୍ୟରୁ ବାଛି ବାଛି ୪ ଜଣଙ୍କ ବିଧାୟକ ପଦ ରଦ୍ଦ କରିବାକୁ ଏବଂ ସେମାନଙ୍କ ବିଧାୟକ ପଦ କାହିଁକି ରଦ୍ଦ ନହେବ ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଜେଡି । ତେବେ ଏହି ଲିଷ୍ଟରେ ଆଗରେ ରହିଛନ୍ତି ନିମାପଡା ବିଧାୟକ ସମୀର ରଞ୍ଜନ ଦାସ । ସମୀର ଦୀର୍ଘ ବର୍ଷ ଧରି ଦଳରେ ରହିବା ପରେ ତାଙ୍କୁ ୩ ଥର ବିଧାୟକ ଏବଂ ମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା । କିନ୍ତୁ ଏବେ ସେ ବିଜେପିରେ । ଯାହାକୁ କେନ୍ଦ୍ର କରି ଏବେ ବିଜେଡିର ପ୍ରଥମ ଶିକାର ଭାବେ ସମୀର ଆଗରେ ରହିଛନ୍ତି । ତେବେ ସମୀରଙ୍କ ପରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡାଙ୍କୁ ଜବାବ ତଲବ କରାଯାଇଛି । ଆସନ୍ତା ୨୭ ତାରିଖ ସୁଦ୍ଧା ସେମାନଙ୍କୁ ଉତ୍ତର ଦେବାକୁ ନୋଟିସରେ କୁହାଯାଇଛି । ସରକାରୀ ଦଳର ମୁଖ୍ୟ ସଚେତକଙ୍କ ଆବେଦନ ଆଧାରରେ ନୋଟିସ ହୋଇଥିବା ସୂଚନା ମିଳିଛି । ତେବେ ଏମାନଙ୍କ ପୂର୍ବରୁ ମଧ୍ୟ ଦୁଇ ବିଜେଡି ବିଧାୟକଙ୍କ ବିଧାୟକ ପଦ ରଦ୍ଦ କରିଥିଲା ବିଜେଡି । ଭୁବନେଶ୍ୱର ଜୟଦେବ ବିଧାୟକ ଅରବିନ୍ଦ ଢାଲି ଏବଂ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକଙ୍କ ବିଧାୟକ ପଦ ରଦ୍ଦ କରାଯାଇଥିଲା । ଆଉ ଏବେ ଗଣି ଗଣି ଆଉ ୪ ବିଧାୟକଙ୍କ ପଦ ରଦ୍ଦ କରିବା ସହ ସେମାନଙ୍କ ରାଜନେତିକ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେବାକୁ ଅଣ୍ଟା ଭିଡିଛି ବିଜେଡି । ତେବେ ଦୁଇ ବିଧାୟକଙ୍କ ପଦ ଆଗରୁ ରଦ୍ଦ ହୋଇଥିବା ବେଳେ ଦେଖାଯାଉ ଏମାନଙ୍କ ପଦ ବି ରଦ୍ଦ ହେଉଛି ନା ଏମାନେ କିଛି ଅନ୍ୟ ବାଟ ଆପଣାଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *