ରାଜ୍ୟରେ ବିଜେଡିର ଅନେକ ଗଡ ଥିବା ବେଳେ ସେଥିରୁ ଗୋଟିଏ ହେଉଛି ଭଦ୍ରକ । ବିଜେଡି ଗଠନ ପରଠାରୁ ଭଦ୍ରକ ଦଳର ଗଡ ରହିଆସିଛି । ୧୯୯୮ ରୁ ୨୦୧୯ ପ୍ରତି ନିର୍ବାଚନରେ ବିଜେଡିକୁ ଜିତାଇ ଆସିଛନ୍ତି ଭଦ୍ରକ ଭୋଟର । ଆଉ ଏଠାରୁ ସବାðଧିକ ବାର ଜିତିଛନ୍ତି ବିଜେଡି ନେତା ଅର୍ଜୁନ ସେଠୀ । ହେଲେ ଗତ ନିର୍ବାଚନରେ ଅର୍ଜୁନଙ୍କ ଟିକେଟ କାଟି ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିଲା ଦଳ । ମଞ୍ଜୁଲତା ଜିତିଥିଲେ ସତ କିନ୍ତୁ ତାଙ୍କୁ କଟ୍ ଅଫ୍ ଟକ୍କର ଦେଇଥିଲେ ଭେଟେରାନ ନେତା ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀ । ଆଉ ଏଥର ପୁଣି ଥରେ ଉଭୟ ମଞ୍ଜୁଲତା ଏବଂ ଅଭିମନ୍ୟୁ ଆମ୍ନାସାମ୍ନା ହେବାକୁ ଯାଉଛନ୍ତି । ସେପଟେ କଂଗ୍ରେସ ବି ଭେଟେରାନ୍ ଅନନ୍ତ ପ୍ରସାଦ ସେଠୀଙ୍କୁ ପ୍ରାର୍ଥୀ କରି ବଡ ଗୋଟି ଚଳାଇଛି । । ତେବେ ଭଦ୍ରକରେ ଏଥର ତ୍ରିମୁଖୀ ଲଢେଇ ହେଉଥିଲେ ବି ମୁଖ୍ୟ ମୁକାବିଲା ବିଜେଡିର ମଞ୍ଜୁଲତା ମଣ୍ଡଳ ଓ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ମଧ୍ୟରେ ହେଉଛି । ଗତଥର ଅଳ୍ପ ସଂଖ୍ୟକ ଭୋଟରେ ହାରିଥିଲେ ଅଭିମନ୍ୟୁ ସେଠୀ । ଏଥର ପରାଜୟର ପ୍ରତିଶୋଧ ନେବାକୁ ମଇଦାନରେ ଫୁଲ୍ ଆକ୍ଟିଭ୍ ରହିଛନ୍ତି । ବାପା ଅର୍ଜୁନ ସେଠୀଙ୍କ ଲିଗାସି ସାଙ୍ଗକୁ ମୋଦି ଲହର ଓ ରାଜ୍ୟ ଶାସନ ବିରୋଧୀ ହାଓ୍ବା ଅଭିମନ୍ୟୁଙ୍କ ପାଇଁ ଓ୍ବିନିଂ ଫ୍ୟାକ୍ଟର ହୋଇପାରେ ବୋଲି ଆଶଙ୍କା ରହିଛି। ଅନ୍ୟପଟେ ବର୍ଷ ବର୍ଷ ଧରି ବିଜେଡି ଭଦ୍ରକ ଜିତିଥିଲେ ମଧ୍ୟ ଅଞ୍ଚଳରେ ଶିକ୍ଷାରୁ ସ୍ବାସ୍ଥ୍ୟ ଭଳି ବିଭିନ୍ନ ସମସ୍ୟା ରହିଛି । ଲୋକଙ୍କୁ ମୋଦି ଗ୍ୟାରେଣ୍ଟି ଦେବା ସହ ଭଦ୍ରକ ଜିତିବାକୁ ଜୋରଦାର ଉଦ୍ୟମ କରୁଛନ୍ତି ଅଭିମନ୍ୟୁ। ତାଙ୍କ ପାଇଁ କେନ୍ଦ୍ରୀୟ ନେତା ବି ସମରସଜ୍ଜା କରୁଛନ୍ତି । ଯାହାକୁ ଆକଳନ କଲେ ଜଣାପଡୁଛି ଯେ, ଚଳିତ ଥର ଭଦ୍ରକ ଲଢେଇ ସଂଘର୍ଷପୂର୍ଣ୍ଣ ହେବ । ବିଜେଡି ଗଡ ରକ୍ଷା ପାଇଁ ଜୋରଦାର ଉଦ୍ୟମ କରୁଥିବା ବେଳେ ବିଜେପି ଭଦ୍ରକ ଦଖଲ କରିବାକୁ ରଣନୀତି କରୁଛି । ତେଣୁ ଏଥର ଭଦ୍ରକ ଫଳ ଚମକାଇପାରେ ବୋଲି ସମସ୍ତେ ଚାହିଁ ରହିଛନ୍ତି । ତେବେ ଦେଖାଯାଉ ଏଥର କିଏ କାହା ଗଡକୁ ଭେଦ କରୁଛି ଏବଂ ବିଜେଡିର ଚକ୍ରବ୍ୟୁହ ବିଜେପି ଭାଙ୍ଗିପାରୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।