ହାତେ ମାପି ଚାଖଣ୍ଡେ ଚାଲୁଛି ବିଜେଡି !

ହାତେ ମାପି ଚାଖଣ୍ଡେ ଚାଲୁଛି ବିଜେଡି !

ବିଧାନସଭାରେ କିଏ ଧରିବେ ବିରୋଧୀ ଦଳର ମଙ୍ଗ ? ବିଜେଡି ସୁପ୍ରିମୋ ନା ଆଉ କିଏ ? ଏ ପ୍ରଶ୍ନରେ ଆଜି ବି ସସପେନ୍ସ ଲାଗି ରହିଛି । ରାଜ୍ୟରେ ନୂଆ ସରକାର ଆସୁଆସୁ ଆକ୍ସନ ମୋଡକୁ ଆସିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଶପଥ ନେବା ପରେ ପରେ ହିଁ ରାଜ୍ୟରେ ଅନେକ ପରିବର୍ତ୍ତନ କରି ନିଜ କାୟା ବିସ୍ତାର କରିବାରେ ଲାଗିଛି ବିଜେପି । କିନ୍ତୁ ଏବେ ବି ବିରୋଧୀ ବିଜେଡି ସାଇଲେନ୍ସ ଜୋନରେ ରହିଛି । ନୂଆ ସରକାର ଗଠନ ହେବା ସହ ମନ୍ତ୍ରୀ ମାନଙ୍କୁ ଦାୟିତ୍ୱ ମଧ୍ୟ ବଣ୍ଟା ସରିଲାଣି । ଆଉ କିଛି ଦିନ ପରେ ବିଧାୟକମାନେ ଶପଥ ଗ୍ରହଣ କରିବେ । କିନ୍ତୁ ବିଧାନସଭାରେ ବିରୋଧୀ ଦଳର ନେତା କିଏ ହେବେ ? କିଏ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ପାଣି ପିଆଇବେ ? ତାହା ଏଯାଏଁ ସ୍ପଷ୍ଟ ହୋଇନି । ଚର୍ଚ୍ଚାରେ ଅନେକ ନେତାଙ୍କ ନାଁ ରହିଥିବା ବେଳେ କାହା ନାଁ ରେ ବି ମୋହର ବାଜିନି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଦଳର ନେତା ହୁଅନ୍ତୁ ବୋଲି ଦଳର ଅନେକ ନେତାଙ୍କ ସହ ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରୁଥିବା ବେଳେ ନବୀନ ବାବୁ ଏଯାଏଁ ମୁହଁ ଖୋଲିନାହାନ୍ତି । ଅନ୍ୟପଟେ ନବୀନ ବାବୁଙ୍କ ପାଖେ ପାଖେ ରହୁଥିବା ଦୁଇ ନେତା ଭିକେ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ମଧ୍ୟ ତାଙ୍କ ପାଖେ ଉପସ୍ଥିତ ନାହାନ୍ତି । ତେଣୁ ସେ ଦୃଷ୍ଟିରୁ ବିରୋଧୀ ଦଳର ନେତା କିଏ ହେବେ ସେନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଥିବା କୁହାଯାଉଛି । ଅନ୍ୟପଟେ ପ୍ରଥମ ଥର ପାଇଁ ରାଜ୍ୟରେ ଏକ ଶକ୍ତିଶାଳୀ ବିରୋଧୀ ଦଳକୁ ଶାସକ ଦଳ ସାମ୍ନା କରିବାକୁ ଯାଉଛି । କାରଣ ପ୍ରଥମ ଥର ପାଇଁ ବିଜେପି ସରକାରକୁ ଆସିଥିବା ବେଳେ ବିଜେପିର ମନ୍ତ୍ରୀ ମାନେ ମଧ୍ୟ ପ୍ରଥମ ଥର ଦାୟିତ୍ୱ ନେଇଛନ୍ତି । ତେଣୁ ସରକାରୀ ଦୋଷ ଦୁର୍ବଳତା କାଢିବା ସହ ପୂବ ଯୋଜନାରୁ ଲୋକଙ୍କୁ ମିଳୁଥିବା ଲାଭକୁ ନେଇ ବିରୋଧୀ ଶାସକ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରନ୍ତି । ତେଣୁ ଏସବୁ ଦିଗକୁ ଦୃଷ୍ଟିରେ ରଖି ବିଜେଡି ହାତେ ମାପି ଚାଖଣ୍ଡେ ଚାଲୁଥିବା କୁହାଯାଉଛି । ତେବେ ଦେଖାଯାଉ ବିଜେପି ଲୋକଙ୍କ ନିକଟତର ହେବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ବିରୋଧୀ କେବେ ତାଙ୍କ କୁଳପତିଙ୍କୁ ମଇଦାନକୁ ଓହ୍ଲାଉଛନ୍ତି ଏବଂ ବିଧାନସଭାରେ କିଏ ଶାସକ ଦଳକୁ ଘାଇଲା କରୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *