କେବେ ନୀରବତା ଭାଙ୍ଗିବେ ବିଜେଡି ସୁପ୍ରିମୋ ?

କେବେ ନୀରବତା ଭାଙ୍ଗିବେ ବିଜେଡି ସୁପ୍ରିମୋ ?

ଦିନକୁ ଦିନ ଉଗ୍ର ରୂପ ନେଉଛି ବିଜେଡି କଳି । ଚଳିତ ନିର୍ବାଚନରେ ହାରିବା ପରେ ସତେ ଯେମିତି ଦଳରେ ଗୋଷ୍ଠୀ କନ୍ଦଳ ଆହୁରି ତୀବ୍ର ହେଉଛି । ନିର୍ବାଚନରେ କାହିଁକି ହାରିଲେ ସେଦିଗରେ ସମୀକ୍ଷା କରିବା ବଦଳରେ ନିଜ ଦଳୀୟ କର୍ମୀଙ୍କୁ ହିଁ ହାରିବାର କାରଣ ଦର୍ଶାଉଛନ୍ତି ଦଳୀୟ ନେତା । ଦଳର ବରିଷ୍ଠ ନେତାମାନେ ପୂର୍ବରୁ ଦଳର ପରାଜୟର କାରଣ କଣ ସେ ସମ୍ପର୍କରେ କିଛି ବି କହୁନଥିଲେ । କିନ୍ତୁ ଏବେ ଜଣଙ୍କ ପରେ ଜଣେ ନେତା ସାମ୍ନାକୁ ଆସି ନିଜ ଦଳର ନେତାମାନଙ୍କୁ ଦଳ ହାରିବାର କାରଣ ଦର୍ଶାଉଛନ୍ତି ଏବଂ ଦଳ ବିରୁଦ୍ଧରେ ବିଷ ଓଗାଳୁଛନ୍ତି । ଯାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି ଯେ. ବିଜେଡିରେ ଏବେବି ଫାଟ ଜଳଜଳ ହେଉଛି । ଏବଂ ଆଗକୁ ଏହି କାରଣ ପାଇଁ ବିଜେଡି ଭାଙ୍ଗିବାର ସମ୍ଭାବନା ମଧ୍ୟ ରହିଛି । କିନ୍ତୁ ସବୁ ଦେଖି ବି ବିଜେଡି ସଭାପତି ନବୀନ ପଟ୍ଟନାୟକ ଚୁପ୍ ବସିଛନ୍ତି । ତାଙ୍କ ବିନା ଦଳରେ କିଛି ବି କାର୍ଯ୍ୟ ହେଉନଥିବା ବେଳେ ଏବେ ତାଙ୍କ ଉପସ୍ଥିତି ଦଳରେ ସେତେଟା ଗୁରୁତ୍ୱ ନଥିବା ଆଭାସ ହେଉଛି । କାରଣ ନବୀନଙ୍କ ପାଖ ଲୋକ ମାନେ ହିଁ ଏବେ ଦଳ ବିରୁଧରେ ବିଷ ଓଗାଳୁଛନ୍ତି । ଦୀର୍ଘ ବର୍ଷ ଧରି ଶାସନ କ୍ଷମତାରେ ରହିବା କାରଣରୁ ଦଳୀୟ ନେତାଙ୍କ ଗର୍ବ ବଢିଯାଇଥିବା ବରିଷ୍ଠ ନେତାମାନେ ମତପ୍ରକାଶ କରୁଛନ୍ତି । ଏବଂ ତେବେ ଏହି ଦୋଷ ଦେବାର ଆରମ୍ଭ ବିଜେଡି କର୍ପୋରେଟରଙ୍କ ଠାରୁ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବିଜେଡିର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ମଧ୍ୟ ଢୋଲ ଭିତରେ ମୂଷା ଉପାଖ୍ୟାନକୁ ଦୋହରାଇଥିଲେ । ତାଙ୍କ ପରେ ପରେ ପ୍ରଭାତ ବିଶ୍ୱାଳ ମଧ୍ୟ ଏହି କଥା କହିଥିବା ବେଳେ ଦଳ ହାରିବାର କାରଣ ବବି ଦାସ ଏବଂ ପାଣ୍ଡିଆନଙ୍କୁ ଦର୍ଶାଇଥିଲେ । ଆଉ ଏବେ ଏହା ନୃସିଂହ ମିଶ୍ର ଏବଂ ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ପାଖରେ ଅଟକିଲାଣି । କିନ୍ତୁ କିଏ ସେ ଢୋଲ ଭିତରେ ମୂଷା ଏବଂ କିଏ ବିଜେଡିର ବିଭୀଷଣ ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ବଢିଛି । ଅନ୍ୟପଟେ ବିଜେଡି ଏବେ ବିରୋଧୀ ଆସନରେ ବସିଥିବାରୁ ପ୍ରଥମ ଥର ଶାସକ ଦଳ ଏକ ଶକ୍ତିଶାଳୀ ବିରୋଧୀ ଦଳକୁ ସାମ୍ନା କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି । କିନ୍ତୁ ବିଜେଡିରେ ଦିନକୁ ଦିନ ଯେଉଁ ଅସନ୍ତୋଷ ବୃଦ୍ଧି ପାଉଛି ତାକୁ ଦେଖିଲେ ବିଜେଡି ଦୁର୍ବଳ ହୋଇପଡୁଥିବା ନଜର ଆସୁଛି । ହେଲେ ଏତେ ସବୁ ପରେ ବି ନା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ମୁହଁ ଖୋଲୁଛନ୍ତି ନା ଦଳର ବିରୁଦ୍ଧରେ କହୁଥିବା ନେତାଙ୍କ ବିରୋଧରେ କିଛି ବି ଆକ୍ସନ ନେଉଛନ୍ତିା ଯାହାକୁ ନେଇ ଅନେକ ଲୋକ ମତବ୍ୟକ୍ତ କରୁଛନ୍ତି ଯେ ବିଜେଡି ଏବେ ମୁରବୀ ଶୂନ୍ୟ ହୋଇପଡିଛି । ତେବେ ଦେଖାଯାଉ କେବେ ଏ ଗୋଷ୍ଠୀ କନ୍ଦଳ ଶାନ୍ତ ହେଉଛି । ଏବଂ ବିଜେଡି ନେତାମାନେ ଏକାଠି ହୋଇ ଶାସକ ଦଳକୁ ଟାଗେଟ କରୁଛନ୍ତି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *