କେବେ ନୂଆ ସରକାରଙ୍କ ନୂଆ ଯୋଜନା ପାଇବେ ରାଜ୍ୟବାସୀ ?

କେବେ ନୂଆ ସରକାରଙ୍କ ନୂଆ ଯୋଜନା ପାଇବେ ରାଜ୍ୟବାସୀ ?

ନିର୍ବାଚନ ଫଳାଫଳ ବାହାରିବାର ମାସେରୁ ଅଧିକ ସମୟ ବିତି ଗଲାଣି । କିନ୍ତୁ ଏଯାଏଁ ନା ବିଜେପି ଦେଇଥିବା ଗୋଟିଏ ବି ପ୍ରତିଶୃତି ପାଳନ କରିଥିବା ଖବର ସାମ୍ନାକୁ ଆସିଲା ନା ସେ ଦିଗରେ ଖୋଦ ବିଜେପି ତତ୍ପରତା ଦେଖାଉଥିବା ନଜର ଆସିଲା । ଯାହାକୁ ନେଇ ଏବେ ସାଧାରଣ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି । କାରଣ ବିଜେପି ଦେଇଥିବା ନିର୍ବାଚନୀ ଇସ୍ତାହାରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା, ରତ୍ନଭଣ୍ଡାର ଖୋଲିବା ଏବଂ ମାଗାଣ ବିଜୁଳି ଯୋଗାଇ ଦେବା । କିନ୍ତୁ ସରକାରକୁ ଆସିବାର ମାସେ ବିତିଯାଇଥିଲେ ମଧ୍ୟ ଏଯାଏଁ ତାହା ହୋଇପାରିଲାନାହିଁ । ଜୁଲାଇ ମାସ ଆରମ୍ଭ ହେବାର ୧୦ ଦିନ ବିତିଗଲାଣି । ହେଲେ ଏଯାଏଁ ରାଜଧାନୀର କେଉଁଠି ବି ପ୍ରଧାନମନ୍ତ୍ରୀଙ୍କ ସୂର‌୍ୟ୍ୟଘର ଯୋଜନା ଅନ୍ତର୍ଗତ କୌଣସି ଘର ଉପରେ ସୋଲାର ସିଷ୍ଟମ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିନି । ଯାହାକୁ ଦେଖିଲେ ଲାଗୁଛି କି ଜୁଲାଇ ମାସ ଶେଷ ସୁଦ୍ଧା ମଧ୍ୟ ଏହା ରାଜ୍ୟରେ କାର‌୍ୟ୍ୟକାରୀ ହୋଇପାରିବନିା ଅନ୍ୟପଟେ ରତ୍ନଭଣ୍ଡାର ଖୋଲିବା ଉପରେ ମଧ୍ୟ ବିଜେପି ପ୍ରତିଶୃତି ଦେଇଥିଲା । କିନ୍ତୁ ରତ୍ନଭଣ୍ଡାର ଖୋଲିବାତ ଦୂରର କଥା ଏଯାଏଁ କେବେ ଖୋଲିବ ସେନେଇ ମଧ୍ୟ ତାରିଖ ଠିକ୍ ହୋଇନଥିବା କୁହାଯାଉଛି । ପ୍ରଥମେ ଜୁଲାଇ ୮ ରେ ଖୋଲିବ ବୋଲି ମୋହନ ସରକାର କହିଥିଲେ । କିନ୍ତୁ ତାହା ହେଲାନାହିଁ । ଆଉ ଏବେ ଜୁଲାଇ ୧୪ରେ ରତ୍ନଭଣ୍ଡାର ଖୋଲାହେବା ନେଇ ସୂଚନା ମିଳିଛି । କିନ୍ତୁ ଏହା ପରେ ବି ତାରିଖ ନଘୁଞ୍ଚିପାରେ ସେଥିରେ କୌଣସି ଗ୍ୟାରେଣ୍ଟି ନାହିଁ । ତେବେ ଏସବୁ ତ ଥିଲା ପ୍ରତିଶୃତି । କିନ୍ତୁ ଏହାଠାରୁ ବି ଉପରେ ଥିଲା ନୂଆ ସରକାରଙ୍କ ନୂଆ ଯୋଜନା । ଏଯାଏଁ ବିଜେପି ରାଜ୍ୟବାସୀଙ୍କ ପାଇଁ କୌଣସି ବି ନୂଆ ଯୋଜନା ଆଣିନି । କେବଳ ପୂର୍ବ ସରକାରରେ ଥିବା ଯୋଜନା ଗୁଡିକର ନାଁ କୁ ବଦଳାଇ ନିଜ ନାଁ ଦେଇଛି । ଏହା ବ୍ୟତୀତ କୌଣସି ନୂଆ ଯୋଜନା ରାଜ୍ୟବାସୀଙ୍କ ପାଇଁ ଲାଗୁ କରାଯାଇନାହିଁ । ଯାହାକୁ ନେଇ ସାଧାରଣ ଲୋକଙ୍କ ସହ ବିରୋଧୀ ନେତାମାନେ ମଧ୍ୟ ମୁହଁ ଖୋଲିଲେଣି । ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେପି ପାଖରେ ସେତେ ସମ୍ଭଳ ନଥିବାରୁ ବିଜେପି ତାର ପ୍ରତିଶୃତିକୁ ପାଳନ କରିବା ଦିଗରେ ପଛଘୁଞ୍ଚା ଦେଉଛି । ତେବେ ଦେଖାଯାଉ କେବେ ବିଜେପି ତାର ପ୍ରତିଶୃତି ପାଳନ କରୁଛି ଏବଂ ଲୋକେ ବିଜେପି ଦେଉଥିବା ସୁବିଧା ସୁଯୋଗ ପାଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *