ଯୁବ ଚେହେରା ଭାବେ ଓଡିଶା ରାଜନୀତିରେ ବେଶ ପରିଚିତ ସ୍ୱର୍ଗତ ନବଦାସଙ୍କ ଝିଅ ଦୀପାଳି ଦାସ । ଉପନିର୍ବାଚନରେ ଝାରସୁଗୁଡାରେ ବିଜୟ ମୁକୁଟ ପିନ୍ଧିଥିଲେ କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ ମୋଦି ଲହରକୁ ଭେଦ କରିପାରିଲେ ନାହିଁ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ । ମାତ୍ର ଏକ ହଜାର ତେତିଶି ଖଣ୍ଡ ଭୋଟରେ ତାଙ୍କୁ ହାର ମାନିବାକୁ ପଡିଲା । ତେବେ ନିଜର ପରାଜୟକୁ ସହଜରେ ଗ୍ରହଣ କରି ପାରୁନଥିବା ଦୀପାଳି ରିକାଉଣ୍ଟିଂ ପାଇଁ ଯେଉଁ ଆବେଦନ କରିଥିଲେ ସେ ନେଇ ଭାରତୀୟ ନିର୍ବାଚନ ଆୟୋଗ ଅନୁମତି ଦେଇଥିଲେ ଏବଂ ପରେ ପରେ ସିସିଟିଭି ଫୁଟେଜ ଯାଞ୍ଚ ଓ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ମିଥ୍ୟ ସତ୍ୟପାଠ ଦାଖଲ କରିବା ଅଭିଯୋଗ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଏବେପର୍ଯ୍ୟନ୍ତ ମଧ୍ୟ ଦୀପାଳିଙ୍କୁ ଏହାର ଫଳାଫଳ ମିଳିନାହିଁ । ଗୋଟିଏ ପଟେ ବିଧାନସଭା ଅଧିବେଶନ ଆରମ୍ଭ ହୋଇଯାଇଛି । ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଥିବା ବିଜେଡି ବିଭିନ୍ନ ସମସ୍ୟାକୁ ନେଇ ଗୃହକୁ ସରଗରମ କରିବା ସହିତ ଶାସକ ବିଜେପିକୁ ଘେରୁଛି । କିନ୍ତୁ ପୁଣିଥରେ ବିଧାନସଭା ଯିବାକୁ ସ୍ୱପ୍ନ ଦେଖୁଥିବା ଦୀପାଳିଙ୍କ ସ୍ୱପ୍ନ ଏବେ ଭାଙ୍ଗିଗଲା ବୋଲି ଚର୍ଚ୍ଚା ହେଲାଣି । ଦୀପାଳି ପୁଣିଥରେ ଭୋଟ ଗଣତିକୁ ନେଇ ଯେଉଁ ଆବେଦନ କରିଥିଲେ ସେ ଉପରେ ଏବେ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନଜର ଆସିନାହିଁ । ବିଜେଡି ଶାସକ ଦଳରେ ଥିବା ସମୟରେ ଏକ ବିଧାନସଭାରେ ଦୀପାଳି ଦାସ ଝାରସୁଗୁଡାର ସମସ୍ୟା ଉଠାଇ ସମାଧାନର ରାସ୍ତା କାଢୁଥିଲେ । କିନ୍ତୁ ଏବେ ତାଙ୍କ ସ୍ୱପ୍ନ ଭାଙ୍ଗିବା ପରେ ଝାରସୁଗୁଡାର ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ରାସ୍ତାରେ କଣ୍ଟା ସାଜିବାକୁ ରେଡ୍ଡି ହେଲେଣି ଦୀପାଳି ଦାସ । ଝାରସୁଗୁଡା ବାସୀଙ୍କ ପାଇଁ ସବୁବେଳେ କାର୍ଯ୍ୟ କରିଆସୁଥିବା ଦୀପାଳି ବିଧାୟିକା ନ ହେଲେ ମଧ୍ୟ ସେମାନଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
You can share this post!
author