ପୁଣି ବିଜେପି ନେତାଙ୍କ ବୟାନବାଜିକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ । ନିଜ ଦଳ ବଦଳରେ ବିରୋଧୀ ବିଧାୟକଙ୍କ ସପୋର୍ଟରେ ବାହାରିଲେ ବିଜେପି ନେତା । ହଁ ଆଜ୍ଞା, ରାଜ୍ୟରେ ପୁଣି ତେଜିଛି ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ । କିନ୍ତୁ ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଏ ସମ୍ପର୍କୀତ ଏକ ବୟାନବାଜିକୁ ନେଇ ହୁଲସ୍ତୁଲ ହୋଇଛି ରାଜ୍ୟ ରାଜନୀତି । କାରଣ ଏ ସମ୍ପର୍କରେ ବିରୋଧୀ ସ୍ୱର ଉଠାଇଥିବା ବେଳେ ଏହାକୁ ବିଜେପି ନେତା ମଧ୍ୟ ସପୋର୍ଟ କରିଛନ୍ତି । କିନ୍ତୁ ଖୋଦ ମୁଖ୍ୟମନ୍ତ୍ରୀ ଏହାକୁ ନାଁ କହିଛନ୍ତି । ତେବେ ବଲାଙ୍ଗୀର ବିଧାୟକ କଳିକେଶ ସିଂ ଦେଓ ବଲାଙ୍ଗିରରେ ହାଇକୋର୍ଟର ସର୍କିଟ ବେଞ୍ଚ ପ୍ରତିଷ୍ଠା ନେଇ ସରକାରଙ୍କ ପଦକ୍ଷେପ ଜାଣିବାକୁ ଚାହିଁଥିଲେ । ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ସୁପ୍ରିକୋର୍ଟଙ୍କ ରାୟ ଅନୁଯାୟୀ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର କୌଣସି ଯଥାର୍ଥତା ନାହିଁ। ଆଉ ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତରକୁ ନେଇ ଆରମ୍ଭ ହୋଇଛି ବୟାନବାଜୀ। ବଡ କଥା ହେଉଛି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଏବେବି ଦାବି ରହିଛି । ଉତ୍ତର ପ୍ରଦେଶରେ ଏକାଧିକ ବେଞ୍ଚ୍ ରହିଥିବା ବେଳେ ଓଡ଼ିଶାରେ କାହିଁକି ହେବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ କଳିକେଶ ସିଂଦେଓ କହିଛନ୍ତି ବଲାଙ୍ଗିରରେ ସ୍ବତନ୍ତ୍ର ହାଇକୋର୍ଟ ବେଞ୍ଚ ଦାବି ଦୀର୍ଘ ଦିନର। ୟୁପିରେ ଏକାଧିକ ବେଞ୍ଚ ଥିବା ବେଳେ ଓଡ଼ିଶାରେ ସମସ୍ୟା କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଗୋଟିଏ ଦଳର ଦୁଇ ନେତାଙ୍କ ଏପରି ଭିନ୍ନ ଭିନ୍ନ ବୟାନବାଜିକୁ ନେଇ ଏବେ ରାଜନୀତିରେ ନାନା ଆଲୋଚନା ମୁଣ୍ଡ ଟେକିଛି ।
You can share this post!
author