ଦୀର୍ଘ ଦିନ ପରେ ପୁଣି ରାଜନୀତିରେ ସକ୍ରିୟ ହୋଇଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ନିର୍ବାଚନରେ ଟିକେଟ କଟିବା ପରଠାରୁ ରାଜନୀତିରୁ ଦୂରେଇ ଯାଇଥିବା ଶ୍ରୀମୟୀ ଏବେ ଫୁଲ ଆକ୍ଟିଭ ମୋଡରେ ରହିଛନ୍ତି । ପୂର୍ବରୁ ଯେପରି ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ, ଜନ ସମ୍ପର୍କ ବଢାଉଥିଲେ ଏବଂ ନବୀନଙ୍କ ପାଖେ ପାଖେ ରହୁଥିଲେ ଠିକ ସେହି ପରି ଏବେ ତାଙ୍କୁ ଦେଖିବାକୁ ମିଳୁଛି । ଦଳ ହାରିବା ପରେ ଶ୍ରୀମୟୀ ସାମ୍ନାକୁ ଆସୁନଥିଲେ କି ଦଳ ରେ ଦେଖାଯାଉନଥିଲେ । କିନ୍ତୁ ଯେବେଠାରୁ ଦଳର ମହିଳା ନେତ୍ରୀମାନଙ୍କୁ ନବୀନ ବିଜେପି ବିରୁଦ୍ଧରେ ସ୍ୱର ଉଠାଇବାକୁ ଆହ୍ୱାନ ଦେଇଛନ୍ତି ସେବେଠାରୁ ଶ୍ରୀମୟୀ ନିଜ ରୋଲକୁ କମବ୍ୟାକ କରିଛନ୍ତି । ପ୍ରଥମେ ସୋସିଆଲ ମିଡିଆରେ ବିଜେପିକୁ ସମାଲୋଚନା କରିବା ସହ ବିଜେପି ବିରୁଦ୍ଧରେ ପୋଷ୍ଟ କରୁଥିଲେ । କିନ୍ତୁ ଏବେ ସାମ୍ନାକୁ ଆସିବା ସହ ଖୋଲା ମଞ୍ଚରେ ସେ ବିଜେପି ବିରୁଦ୍ଧରେ ରଣହୁଙ୍କାର ଦେଉଛନ୍ତି । ଯାହାକୁ ରାଜନୈତିକ ମହଲ ସହ ସାଧାରଣରେ ଖୁବ ପ୍ରଶଂସା କରାଯାଉଛି । ଏବଂ ଶ୍ରୀମୟୀଙ୍କ ଏଭଳି ସକ୍ରିୟତା ଆଗାମୀ ଦିନରେ ତାଙ୍କ ରାଜନୈତିକ ଭବିଷ୍ୟତ ଏବଂ ବିଜେଡି ଉଭୟକୁ ମାଇଲେଜ ଦେବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଶ୍ରୀମୟୀଙ୍କ ଏଭଳି ସକ୍ରିୟତାକୁ ଖୋଦ ଦଳୀୟ ନେତା ସହିପାରୁନଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲିଟିଛି । ଶ୍ରୀମୟୀଙ୍କ ଏଭଳି ଦମଦାର ରିଟଣ୍ଣ ଆଗରେ ପୂର୍ବରୁ ସକ୍ରିୟ ଥିବା ମନ୍ମଥ ରାଉତରାୟ ଫିକା ପଡୁଥିବା କୁହାଯାଉଛି । ଯେଉଁ କାରଣରୁ ସେ ଶ୍ରୀମୟୀଙ୍କ ଉପରେ ନାଖୁସ ରହିବା ସହ ତାଙ୍କୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବୁଥିବା ଆଲୋଚନା ହେଉଛିା ଏପରିକି ଏହି କାରଣରୁ ଉଭୟଙ୍କ ମଧ୍ୟରେ ତୁତୁ ମେମେ ପରିସ୍ଥିତି ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛିା କାରଣ ଶଙ୍ଖଭବନ ସହ ରାଜ୍ୟ ରାଜନୀତିରେ ଏବେ ଗୋଟିଏ ପ୍ରସଙ୍ଗ ଚହଳ ପକାଇଛି । ଆଉ ତାହା ହେଉଛି ମନ୍ମଥ-ଶ୍ରୀମୟୀଙ୍କ କଥା କଟାକଟି । ଦଳୀୟ କାର୍ଯ୍ୟକ୍ରମରେ ଉଭୟ ପରସ୍ପରର ନାଁ ନନେଇ ଉଭୟଙ୍କୁ ସମାଲୋଚନା କରିଥିଲେ । ଏପରିକି ଦଳୀୟ ବୈଠକରେ ମଧ୍ୟ ଶ୍ରୀମୟୀଙ୍କୁ ଅପମାନ ମିଳିଥିଲା । ଯେଉଁ ବୈଠକରେ ମନ୍ମଥ ସାମିଲ ରହିବା ସହ ସେ ଶ୍ରୀମୟୀଙ୍କୁ ଦୁର୍ବ୍ୟବହାର କରିଥିବା ସୂଚନା ରହିଛି । ଆଉ ଏସବୁକୁ ଦୃଷ୍ଟିକୁ ନେଲେ ମନ୍ମଥ ଶ୍ରୀମୟୀଙ୍କ ଉପରେ ଖପ୍ପା ଥିବା ସ୍ପଷ୍ଟ ହୋଇପଡୁଛି । ତେବେ ଦେଖାଯାଉ ଏହି ଦୁଇ ନେତାଙ୍କ କଳି ବିଜେଡିକୁ କେତେ ଭାରୀ ପଡୁଛି ଏବଂ ଏମାନଙ୍କ ଉପରେ ବିଜେଡି ସଭାପତି କି ଆକ୍ସନ ନେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।
You can share this post!
author