ମୁହାଁମୁହିଁ ହେଲେ ଭେଟେରାନ ନେତା ସୁର ରାଉତରାୟ ଏବଂ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ସୁରଙ୍କ କଟାକ୍ଷର କଡା ଜବାବ ଦେଲେ ଶ୍ରୀମୟୀ । ହଁ ଆଜ୍ଞା. କିଛି ଦିନ ତଳେ ବିଜେଡି ନେତା ମନ୍ମଥ ରାଉତରାୟ ଏବଂ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ମଧ୍ୟରେ ତୁତୁ ମେମେ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୀର୍ଘ ଦିନ ପରେ ଶ୍ରୀମୟୀ ପୂବ ପରି ରାଜନୀତିରେ ସକ୍ରିୟ ହେବା ସହ ଶଙ୍ଖଭବନରେ ଫୁଲ ଆକ୍ଟିଭ ହୋଇଥିଲେ । ଏପରିକି ଦଳୀୟ ସଭାରେ ମଧ୍ୟ ଯୋଗ ଦେଇଥିଲେ । କିନ୍ତୁ ଏହାକୁ ନେଇ ଖୋଦ ଦଳୀୟ ନେତାମାନେ କିଛି ମତପ୍ରକାଶ କରିନଥିବା ବେଳେ ବରିଷ୍ଠ ନେତା ସୁର ରାଉତରାୟ ମନ୍ମଥଙ୍କ ସପୋର୍ଟରେ ବାହାରିଥିଲେ । ଏବଂ ଗଣମାଧ୍ୟମରେ ଶ୍ରୀମୟୀଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ । ଯାହାକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ହେବା ସହ ଏବେ ସୁର ରାଉତରାୟ ଏବଂ ଶ୍ରୀମୟୀ ମିଶ୍ର ପରସ୍ପରକୁ ସମାଲୋଚନା କରିଛନ୍ତି ।
ତେବେ ସୁର ରାଉତରାୟ ନିଜ ପୁଅ ମନ୍ମଥ ରାଉତରାୟଙ୍କ ସପୋର୍ଟରେ ଯାଇ ବିଭିନ୍ନ ଗଣମାଧ୍ୟମରେ ଶ୍ରୀମୟୀଙ୍କୁ ଅଶାଳୀନ ଭାଷାରେ ସମାଲୋଚନା କରିବା ପରେ ଶ୍ରୀମୟୀ ମଧ୍ୟ ଚୁପ୍ ହୋଇବସିନାହାନ୍ତି । ନିଜ ସୋସିଆଲ ମିଡିଆରେ ସେ ସୁରଙ୍କୁ ସଂସ୍କାରର ପାଠ ପଢାଇଛନ୍ତି । ଯାହା ପରେ ଏବେ ଏହି ଦୁଇ ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିବା କୁହାଯାଉଛି । କିନ୍ତୁ ଏସବୁ ଉପରେ ମନ୍ମଥ ରାଉତରାୟ କିଛି ବି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଦେଖାଯାଉ ଆଗକୁ ମନ୍ମଥ ଏବଂ ଶ୍ରୀମୟୀଙ୍କ ଏହି ତିକ୍ତତା କେଉଁ ରୂପ ନେଉଛି ତାହା ଦେଖିବାକୁ ଅପେକ୍ଷା ।