ମା’ ତୁ ଫେରି ଆସିଲୁ

ମା’ ତୁ ଫେରି ଆସିଲୁ

ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ । ମଥାରେ ଦେଇଥିଲେ ସିନ୍ଦୂର। ସାତ ଜନ୍ମର ସାଥୀ ହେବେ ବୋଲି କଥା ଦେଇଥିଲେ। ହେଲେ କରୋନା ସମୟରେ ପତ୍ନୀ ହାତ ଛାଡ଼ି ଆରପାରିକୁ ଚାଲିଗଲେ। ପ୍ରତ୍ୟେକ ଦିନ ତାଙ୍କୁ ମନେ ପକାଇ ଭାଙ୍ଗି ପଡ଼ିଛନ୍ତି ସ୍ୱାମୀ ପ୍ରଶାନ୍ତ ନାୟକ। ତେଣୁ ତାଙ୍କ ସ୍ମୃତିରେ ସିଲିକନ୍ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ସେ ଆଉ ନାହାନ୍ତି ସତ ହେଲେ ପାଖରେ ଥିଲା ପରି ଲାଗୁଛି। ଏହି ମୂର୍ତ୍ତି ପତ୍ନୀଙ୍କ ଅନୁପସ୍ଥିତିକୁ ସାମାନ୍ୟ ଦୂରେଇ ଦେଇଥିବା କହିଛନ୍ତି ପ୍ରଶାନ୍ତ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଜଗବନ୍ଧୁ ସାହିର ବ୍ୟବସାୟୀ ପ୍ରଶାନ୍ତ ନାୟକ ପରିବାରରେ ।

୧୯୯୭ ମସିହାରେ କିରଣମାଳାଙ୍କୁ ବିବାହ କରିଥିଲେ ବ୍ରହ୍ମପୁର ଜଗବନ୍ଧୁ ସାହିର ପ୍ରଶାନ୍ତ ନାୟକ । ପ୍ରଶାନ୍ତଙ୍କ ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ବେଶ ହସଖୁସିରେ ଚାଲିଥିଲା ତାଙ୍କ ଛୋଟ ସଂସାର । କିନ୍ତୁ ହଠାତ ୨୦୨୧ ମସିହା ଏପ୍ରିଲ୍ ମାସ ୨୧ ତାରିଖରେ ଅସୁସ୍ଥ ହୋଇଥିଲେ କିରଣମାଳା । ଏହାପରେ କିରଣମାଳାଙ୍କୁ ବ୍ରହ୍ମପୁର ଏମକେସିଜି ପରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସରକାରୀ ମେଡ଼ିକାଲ ଓ ଶେଷରେ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ ପ୍ରଶାନ୍ତ । ଘରୋଇ ମେଡିକାଲରେ କିଛି ଦିନ ଧରି ଚିକିତ୍ସିତ ହେବା ପରେ ୨୦୨୧ ଏପ୍ରିଲ ୨୫ ତାରିଖରେ କିରଣମାଳାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ପ୍ରଶାନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବା ସହ ପ୍ରଶାନ୍ତଙ୍କ ଦୁଇ ଝିଅ ମେଘନା ଓ ମେହେକ, ପୁଅ ଆୟାନ ମାଆଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇଯାଇଥିଲେ । କିରଣମାଳାଙ୍କ ମୃତ୍ୟୁର କିଛି ଦିନ ପରେ ତାଙ୍କ ଝିଅ ସାମାଜିକ ଗଣମାଧ୍ୟମରେ ସିଲିକନ ମୂର୍ତ୍ତି ସମ୍ପର୍କରେ ଜାଣିବାକୁ ପାଇଥିଲେ । ଯାହାକି ଜଣେ ମଣିଷର ସମ୍ପୂର୍ଣ୍ଣ ଅବିକଳ ଦେଖିବାକୁ । ତେଣୁ ନିଜ ମା ତଥା କିରଣବାଳାଙ୍କ ଏକ ସିଲିକନ ପ୍ରତିମୂର୍ତ୍ତି କରିବା ପାଇଁ ମନସ୍ଥ କରିଥିଲେ ତାଙ୍କ ଝିଅ ମେହେକ ।

ଝିଅ ଓ ପୁଅଙ୍କ ଅନୁରୋଧକ୍ରମେ ମୂର୍ତ୍ତି ତିଆରି କରିବା ପାଇଁ ବେଙ୍ଗାଲୁରୁର ଜଣେ ଶିଳ୍ପୀଙ୍କୁ ଯୋଗାଯୋଗ କରିଥିଲେ ପ୍ରଶାନ୍ତ। ତାଙ୍କ ଘରେ ପହଞ୍ଚି ଶିଳ୍ପୀ ପୁରୁଣା ଫଟୋ ମଧ୍ୟରୁ ଗୋଟିଏ ଫଟୋ ଚୟନ କରିଥିଲେ । ତାହାକୁ ସେ ଜୀବନ୍ତ ରୂପ ଦେଇଥିଲେ । ଉକ୍ତ ମୂର୍ତ୍ତିକୁ ତିଆରି କରି ସ୍ବତନ୍ତ୍ର ଗାଡ଼ିରେ ବ୍ରହ୍ମପୁର ଆଣିଛନ୍ତି । ମୂର୍ତ୍ତି ତିଆରି ପାଇଁ ୮ ଲକ୍ଷ ଟଙ୍କା ଶିଳ୍ପୀ ନେଇଛନ୍ତି। ସେହିପରି ଟ୍ରାନ୍ସପୋର୍ଟ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଘରେ ପ୍ରତିଦିନ ଉକ୍ତ ମୂର୍ତିକୁ ସଜା ଯାଉଛି । ପ୍ରଶାନ୍ତଙ୍କ ସାନ ଝିଅ ମେହେକ ପ୍ରତିଦିନ ମାଆଙ୍କ ପ୍ରତିମୂର୍ତ୍ତିକୁ ଶାଢ଼ି, ସୁନା ଅଳଙ୍କାର ପିନ୍ଧାଇ ସଜାଉଛନ୍ତି । ପ୍ରଶାନ୍ତଙ୍କ ପତ୍ନୀ କିରଣାମାଳାଙ୍କ ମୃତ୍ୟୁ ହୋଇଛି ସତ କିନ୍ତୁ ତାଙ୍କ ପରିବାରର ଭଲ ପାଇବା ଏବେ ସିଲିକନ ମୂର୍ତ୍ତୀରେ କିରଣମାଳାଙ୍କୁ ଜୀବିତ କରିଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *