ନିଆରା ଅଷ୍ଟ ବେତାଳ ପୂଜା

ନିଆରା ଅଷ୍ଟ ବେତାଳ ପୂଜା

ନିଆରା ଅଷ୍ଟ ବେତାଳ ପୂଜା | ବର୍ଷର ୩ଦିନ ଖୋଲା ରହେ ମନ୍ଦିର | ତେବେ ଆମ ଦେଶର ବିଭିନ୍ନ ସ୍ଥାନରେ ବହୁ ଦେବଦେବୀଙ୍କ ମନ୍ଦିର ରହିଛି।ହେଲେ ସେଥି ମଧ୍ୟରେ ଏମିତି ଏକ ମନ୍ଦିର ଅଛି ଯାହାକି ବର୍ଷରେ କେବଳ ୩ଦିନ ପାଇଁ ଖୋଲା ହୁଏ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ଠାରେ ରହିଛି ଅଷ୍ଟ ବେତାଳ ମନ୍ଦିର।ଏହା ବର୍ଷର ଦୁର୍ଗାପୂଜା ସମୟରେ ମହାଷ୍ଟମୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ଖୋଲା ରହେ।ବାକି ଅନ୍ୟ ଦିନମାନଙ୍କରେ ବନ୍ଦ ରହିଥାଏ।ଭଞ୍ଜନଗର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଏଭଳି ମନ୍ଦିର ନଥିବା ଜଣାପଡିଛି। ବ୍ରିଟିଶ ଶାସନ କାଳରୁ ଘୁମୁସର ଅଞ୍ଚଳର ଏହା ପ୍ରଥମ ଦୁର୍ଗାପୂଜା ଭାବେ ବେଶ ପରିଚିତି ଲାଭ କରିଥିଲା। ସେତେବେଳେ ଘୁମୁସର ତହସିଲ ଏକ ବିରାଟ ଭୁ-ଖଣ୍ଡ ଥିଲା। ଏଥିରେ ପାଖାପାଖି ଶତାଧିକ ମୌଜା ରହିଥିଲା।ସେହି ସମୟରେ ଯାତାୟତ ସକାଶେ କୌଣସି ଯାନବାହନର ସୁବିଧା ନ ଥିବାରୁ ବ୍ରିଟିଶ ସରକାର ଅଧୀନରେ କାର୍ଯ୍ୟ କରୁଥିବା ରାଜସ୍ୱ କର୍ମଚାରୀମାନେ ବଣ ଜଙ୍ଗଲ ଦେଇ ଚାଲି ଚାଲି ଓ ସାଇକେଲରେ ଗାଁ କୁ ଗାଁ ବୁଲି କର ବା ଖଜଣା ଆଦାୟ କରୁଥିଲେ।

ହେଲେ ସେସବୁ ଧରି ଫେରିବା ବେଳେ ବାଟରେ ସେମାନେ ଚୋର, ଡକାୟତ, ବନ୍ୟଜନ୍ତୁ ଓ ଅଦୃଶ୍ୟ ଶକ୍ତିର ଶିକାର ହୋଇ ବହୁ ବାଧାବିଘ୍ନ ଓ ଡର ଭୟର ସମ୍ମୁଖୀନ ହେଉଥିଲେ।ତେଣୁ ସେଥିରୁ ରକ୍ଷା ପାଇବା ପାଇଁ ପ୍ରଥମେ ସେମାନେ ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ଠାରେ ଏକ ଅସ୍ଥାୟୀ ମନ୍ଦିରରେ ଅଷ୍ଟ ବେତାଳଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ରାଜା ବିକ୍ରମାଦିତ୍ୟ ଅଷ୍ଟ ବେତାଳଙ୍କ ସାଧନା ଭଳି ମାଆ ଅଷ୍ଟ ବେତାଳଙ୍କ ମୁଣ୍ଡ ମାଳ ଧାରଣ କରି ଏଠାରେ ପୂଜା ପାଇ ଆସୁଛନ୍ତି।ସେହି ସମୟରେ ଘୁମୁସର ଅଞ୍ଚଳରେ ସବୁଠାରୁ ବଡ ଯାତ୍ରା ଭାବେ ଏହା ବେଶ ଜଣାଶୁଣା ଥିଲା। ମହା ନବମୀ ତିଥିରେ ଭଞ୍ଜନଗର ସହରର ଚତୁର୍ଦ୍ଦିଗରେ ଥିବା ପ୍ରତି ରାଜସ୍ୱ ସର୍କଲରୁ ବଛା ବଛା ଲୋକ ନୃତ୍ୟ ଓ ଲୋକ କଳା ଏଠାରେ ପ୍ରଦର୍ଶିତ ହେଉଥିଲା। ତେବେ କାଳକ୍ରମେ ତହସିଲ କାର୍ଯ୍ୟାଳୟ ସଙ୍କୁଚିତ ହେବା ସହ ଏହି ପୂଜା ମଧ୍ୟ ଫିକା ପଡ଼ିଯାଇଛି।ହେଲେ ଆଜି ପର୍ଯ୍ୟନ୍ତ ପରମ୍ପରା ବଜାୟ ରହିଛି।

author

Related Articles

Leave a Reply

Your email address will not be published. Required fields are marked *