ମା’ ଙ୍କ ପୂଜାରେ ଦୁଲୁକିଲା ସହର

ମା’ ଙ୍କ ପୂଜାରେ ଦୁଲୁକିଲା ସହର

ଅଶ୍ଵିନୀ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମାତିଥି ଏହି ପବିତ୍ର ଦିବସରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପଲ୍ଲିରୁ ସହର ପର୍ଯ୍ୟନ୍ତ ସଵୁଠି କରାଯାଇଥାଏ । ଏହାକୁ ନେଇ ସମଗ୍ର ପଲ୍ଲୀ ଓ ସହର ଚଳ ଚଞ୍ଚଳ ହୋଇଉଠେ। ସୁଖ, ସମୃଦ୍ଧି, ଐଶ୍ଵର୍ଯ୍ୟ ଓ ଧନର ଭଣ୍ଡାର ନେଇ ମା’ ଅନ୍ନଦାତ୍ରୀ ଧରାପୃଷ୍ଠକୁ ବିରାଜିଥାନ୍ତି ।ଏହି ଅବସରରେ ମୋହନା ସହର ହାଇସ୍କୁଲ ଛକ ଠାରେ ସାର୍ବଜନୀନ ମା’ ଗଜଲକ୍ଷ୍ମୀ ପୂଜା ଶ୍ରୀ ଗଣେଶ ବଣିକ ସଂଘ ଆନୁକୂଲ୍ୟରେ ୧୨ ବର୍ଷ ଧରି ଅନୁଷ୍ଠିତ ହେଉଅଛି। ଏହି ପୂଜା ପାଇଁ ମହିଳା ଓ ପୁରୁଷ ଭକ୍ତମାନେ ଶୁଭ୍ର ବସ୍ତ୍ର ପରିଧାନ କରି ନିକଟସ୍ଥ ହରଭଙ୍ଗି ନଦୀ ପଠାରୁ ଜଳ ଧାରଣ କରି କଳସ ଯାତ୍ରାରେ ବାହାରି ପୂଜା ମଣ୍ଡପଠାରେ ପହଞ୍ଚିଥିଲେ। ଶଙ୍ଖ, ହୁଳହୁଳି, ଘଣ୍ଟ, ବାଜା ବଜାଇ ମଣ୍ଡପ ପର୍ଯ୍ୟନ୍ତ ଆସିଥିଲେ। ପଣ୍ଡିତ ଶିବଶଙ୍କର ପଣ୍ଡା ମା’ଙ୍କର ପୂଜାପାଠ କରିଥିଲେ । ପୂଜକ ମା’ଙ୍କର ମହାସ୍ନାନ କରିବା ପରେ ପ୍ରାଣ ପ୍ରତିଷ୍ଠା କରାଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । କର୍ତ୍ତା ଭାବେ ସ୍ଵେଚ୍ଛାସେବୀ ବୃନ୍ଦାବନ ସାମନ୍ତରା ପୂଜା ସଂପାଦନା କରିଥିଲେ।ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ, ସୁସଜ୍ଜିତ ମଣ୍ଡପ, ମନୋଲୋଭା ମା’ ଙ୍କର ମୃଣ୍ମୟ ମୂର୍ତ୍ତି ଦେଖିବା ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବାପାଇଁ ଆଖପାଖ ଅଂଚଳରୁ ଶହ ଶହ ଶ୍ରଦ୍ଧାଳୁ ଛୁଟି ଆସିଥିଲେ । ସମଗ୍ର ଅଂଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବଣିକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚ଼ାଳନା କରି ଥିଲେ। ୫ଦିନ ଧରି ଚାଲିବାକୁ ଥିବା ମା’ଙ୍କ ପୂଜା କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ଜଣାପଡ଼ିଛି।

author

Related Articles

Leave a Reply

Your email address will not be published. Required fields are marked *