ଖୁବଶୀଘ୍ର ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ପରେ ବି ବାକି ଥିବା ଯୋଗ୍ୟ ହିତାଧୀକାରୀଙ୍କୁ ଏହି ଟଙ୍କା ମିଳିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି । ତେବେ ଗତ ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉକ୍ତ ଦିନ ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା।
ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ହିତାଧିକାରୀଙ୍କୁ ଗତ ୯ ତାରିଖରେ ମିଳିଥିଲା ପ୍ରଥମ କିସ୍ତି ଟଙ୍କା। ଉକ୍ତ ଦିନ ୩୫ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଥିଲେ। ପ୍ରଥମ ଦୁଇ ପର୍ଯ୍ୟାୟରେ ଏଯାବତ ପ୍ରାୟ ୬୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପାଇ ସାରିଲେଣି। ରାଜ୍ୟ ସରକାର କୋଟିଏରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ଟଙ୍କା ଦେବାକୁ ଲକ୍ଷ୍ୟ ରଖିଥିବା ଜଣାଯାଇଛି।