ଅଡୁଆରେ ପଡିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ନଭେମ୍ବର ୧ରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉପୁଜିବ ସମସ୍ୟା । ଏବେ କଣ କରିବେ ମୋହନ । ହଁ ଆଜ୍ଞା, ନଭେମ୍ବର ୧ରୁ ରାଜ୍ୟରେ ଆଉ ଗଡିବନି ଆମ୍ବୁଲାନ୍ସ । ନିଜ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବେ ଆମ୍ବୁଲାନ୍ସ କର୍ମଚାରୀ । ସମାନ କାମକୁ ସମାନ ଦରମା ନ ଦେଲେ ୩୦ତାରିଖରୁ ୧୦୮ର ଆମ୍ବୁଲାନ୍ସର ଜିପିଏସ ବନ୍ଦ କରି ରୋଗୀ ସେବା ନଯୋଗାଇବା ନେଇ ଚେତାବାନୀ ଦେଇଛନ୍ତି ରାଜ୍ୟ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ । ପ୍ରତି ଜିଲ୍ଲାରୁ ୨୦୦ରୁ ଅଧିକ ପିଲାଙ୍କୁ କାର୍ୟ୍ୟରେ ନିଯୁକ୍ତି ଦିଆଯାଇନଥିବା ଅଭିଯୋଗ କରିଛି ସଂଘ । ତେଣୁ ସେମାନଙ୍କୁ ତୁରନ୍ତ କାର୍ୟ୍ୟରେ ନିଯୁକ୍ତି ଦେବାକୁ ଦାବି ହୋଇଛି । ଦାବି ପୂରଣ ନ ହେଲେ ନଭେମ୍ବର ୧ ତାରିଖରୁ ସାରା ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ଲାଗି ମହାସଂଘ ଧମକ ଦେଇଛନ୍ତି ।
ବିଶେଷ କରି ଚାଳକମାନେ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା ଡ୍ୟୁଟି କରୁ ଥିବା ବେଳେ ସମାନ ପାରିଶ୍ରମିକ ମିଳୁ ନାହିଁ । ପୂର୍ବରୁ ଜିକିଜା ହେଲଥ କେୟାର ନାମକ ଏକ ଘରୋଇ କମ୍ପାନୀ ଜରିଆରେ ୧୦୮ ଆମ୍ବୁଲାନ୍ସ ପରିଚାଳନା ହୋଇଥିବା ବେଳେ ବର୍ତ୍ତମାନ ଏମ୍ରି ଗ୍ରୀନ ନାମକ କମ୍ପାନୀ ଏହି ଦାୟିତ୍ୱ ନେବା ପରେ ଅନେକ ଚାଳକ ଦରମା ପାଉ ନ ଥିବା ଅଭିଯୋଗ ହୋଇଛି । ଏନେଇ ବିଭିନ୍ନ ଜିଲ୍ଲାରେ ଆମ୍ବୁଲାନ୍ସ କର୍ମଚାରୀ ଏହାର ପ୍ରତିବାଦ କରିବା ସହ ତୁରନ୍ତ ସମସ୍ୟାର ସମାଧାନ ଦାବି କରିଛନ୍ତି ।