ଶେଷରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗୁଜବକାରୀଙ୍କୁ ଦେଲେ କଡା ଜବାବ । ଗତ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୨ଟି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିଥିଲେ । ଗଞ୍ଜାମର ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ସହ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ନବୀନ କଣ୍ଟାବାଞ୍ଜିରେ ହାରିଯାଇଥିବା ବେଳେ ହିଞ୍ଜିଳିରେ କିନ୍ତୁ ବିଜୟ ହୋଇଥିଲେ । କିନ୍ତୁ ଏବେ ଦଳରେ ଗୋଷ୍ଠୀ କନ୍ଦଳ ତୀବ୍ର ହେଉଥିବା ବେଳେ ନବୀନଙ୍କ ଉପରକୁ ଆଙ୍ଗୁଠି ଉଠାଇଛନ୍ତି କିଛି ଗୁଜବକାରୀ ନେତା । ଚକ୍ରାନ୍ତ କରି କୁଆଡେ ନବୀନଙ୍କୁ କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ କରାଯାଇଥିବା ବିସ୍ଫୋରକ ବୟାନ ଦେଇଥିଲେ ସୁନନ୍ଦା ଏବଂ ସୁନନ୍ଦାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ । ଆଉ ଏମାନଙ୍କ ଏହି ମନ୍ତବ୍ୟ ପରେ ବିଜେପି ଶିବିର ସହ ରାଜନୀତିରେ ବି ଚହଳ ପଡିଥିଲ।। ଆଉ ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜ ସୋସିଆଲ ମିଡିଆ ପେଜରେ ସେ ଲେଖିଛନ୍ତି ଯେ, ମୋର କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ନେଇ କିଛି ନ୍ୟସ୍ତ ସ୍ୱାର୍ଥ ଥିବା ବ୍ୟକ୍ତିଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଗୁଜବ ଓ ମିଥ୍ୟା ପ୍ରଚାରର ଦୃଢ଼ ନିନ୍ଦା କରୁଛି। ଏମାନେ ହେଉଛନ୍ତି ସେହି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଯେଉଁମାନେ ଗତ ନିର୍ବାଚନ ସମୟରେ ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇ ଥିଲେ। ଏପରି କି ରାଜନୈତିକ ଫାଇଦା ପାଇଁ ବିଭିନ୍ନ ବିଷୟକୁ ନେଇ ଗୁଜବ କରିବାକୁ ପଛାଇ ନଥିଲେ। ଏପରି ବିଭ୍ରାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିମାନେ ସମସ୍ତେ କିଏ ଓଡ଼ିଶାବାସୀ ଏବେ ଠିକ୍ ବୁଝିଲେଣି। ପ୍ରଭୁ ଜଗନ୍ନାଥ ଏପରି ଗୁଜବ ତଥା ଅପପ୍ରଚାରରୁ ଦୂରେଇ ରହିବା ପାଇଁ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ନବୀନ ଲେଖିଛନ୍ତି । ଆଉ ନବୀନଙ୍କ ଏହି ପୋଷ୍ଟକୁ ଅନେକ ସମର୍ଥନ ମଧ୍ୟ କରୁଛନ୍ତି । ତେବେ ନବୀନଙ୍କ ପୂବରୁ ମଧ୍ୟ ଅନେକ ବିଜେଡି ନେତା ସୁନନ୍ଦାଙ୍କ ଦଳ ଛାଡିବା ଏବଂ ଦଳ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ବିସ୍ଫୋରକ ବୟାନ ଦେବା ଉପରେ ମନ୍ତବ୍ୟ ଦେଇଥିଲେ । ଏବଂ ସୁନନ୍ଦା କିପରି ଦଳ ଭିତରେ କନ୍ଦଳ ସୃଷ୍ଟି କରୁଥିଲେ ସେନେଇ ପୋଲ ମଧ୍ୟ ଖୋଲିଥିଲେ ।
ତେବେ ଏତେ ସବୁ ପରେ ଆଜି ସୁନନ୍ଦା ବିଜେପିରେ ସାମିଲ ହେବା ସହ ବିଜେପିରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରୁଛନ୍ତିା ଦେଖାଯାଉ ବିଜେପିରେ ତାଙ୍କ ଗୁରୁତ୍ୱ କେତେ ରହୁଛି ଏବଂ ବିଜେଡି ବିରୁଦ୍ଧରେ ତାଙ୍କର ପ୍ଲାନ କଣ ରହୁଛି ତାହା ଦେଖିବାର କଥା ।