ପ୍ରେସ୍ ଦିବସର ଇତିହାସ କ’ଣ ରହିଛି|
୧୯୬୬ ମସିହା ଆଜିର ଦିନରେ କେନ୍ଦ୍ର ସରକାର ଭାରତୀୟ ପ୍ରେସ୍ କାଉନ୍ସିଲ ଗଠନ କରିଥିଲେ । ସମ୍ବାଦପତ୍ର ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଏବଂ ପ୍ରେସ୍ କାଉନ୍ସିଲ ହେଉଛି ସମ୍ବାଦପତ୍ର ମାନଙ୍କର ନୈତିକ ପ୍ରହରୀ । ସମ୍ବାଦପତ୍ର ମାନଙ୍କର କାମ ଉପରେ ନଜର ରଖିବା ସହିତ ଆବଶ୍ୟକ ପଡିଲେ ପରାମର୍ଶ, ସମୀକ୍ଷା ଏବଂ ବିବାଦୀୟ ସମ୍ବାଦ ପ୍ରସାରଣ ଉପରେ ବିଚାର କରି ନୈତିକ ଯାଞ୍ଚ କର୍ତ୍ତାଭାବେ ପ୍ରେସ୍ କାଉନ୍ସିଲ କାମ କରୁଛି । ପ୍ରେସ୍ର ସ୍ୱାଧୀନତାକୁ ବଜାୟ ରଖିବା ଦିଗରେ ମଧ୍ୟ ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ କାମ କରୁଛି । ଜାତୀୟ ପ୍ରେସ୍ ଦିବସ ପରିପ୍ରେକ୍ଷୀରେ ଆଜି ଅପରାହ୍ଣରେ ଭୁବନେଶ୍ୱର ଜୟଦେବ ଭବନରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏଥିରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥିଭାବରେ ଯୋଗଦେବେ । ସେହିଭଳି ଗଣମାଧ୍ୟମର ପରିବର୍ତ୍ତିତ ରୂପରେଖ ଶୀର୍ଷକ କର୍ମଶାଳାର ଆୟୋଜନ ହେବ । ଏଥିରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନାମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେବେ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱର ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ପ୍ରେସ୍ ଦିବସ ପାଳନ କରାଯିବ । ଏଥିରେ ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ତଥା ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗଦେବେ । ଏହାସହ ଜୟଦେବ ଭବନରେ ଏକ ସମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ । ତେବେ ଭାରତରେ ୪ ଜୁଲାଇ ୧୯୬୬ରେ ପ୍ରେସ କାଉନସିଲ ଗଠନ ହୋଇଥିଲା ଏବଂ ୧୯୬୬ ମସିହା ନଭେମ୍ବର ୧୬ରେ ଏହା କାର୍ଯ୍ୟକାରୀ ହେଲା । ତେଣୁ ନଭେମ୍ବର ୧୬କୁ ପ୍ରତି ବର୍ଷ ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ବ୍ୟକ୍ତି ଟୁଇଟ କରି ଜାତୀୟ ପ୍ରେସ ଦିବସ ଶୁଭେଚ୍ଛା ଜଣାଇଛନ୍ତି ।