ମାସ ଶେଷକୁ ଆହୁରି ଉଷ୍ମ ହେବ ରାଜ୍ୟ ରାଜନୀତି । ନୂଆ ରୂପରେ ନଜର ଆସିବେ ବିଜେଡି ସଭାପତି । ସଙ୍ଗଠନ ସଜାଡିବାକୁ ମଇଦାନକୁ ଓହ୍ଲାଇବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହଁ ଆଜ୍ଞା, ଏବେ ବି ବିଜେଡିକୁ ଦଳ ଡିଆଁ ନେତାଙ୍କ ଭୟ ଲାଗି ରହିଥିବା ବେଳେ ଖାସ କରି ପଞ୍ଚାୟତସ୍ତରରେ ନେତାମାନେ ବିଜେପିକୁ ଡେଇଁପଡୁଥିବାରୁ ଏହା ବିଜେଡି ପାଇଁ ଚିନ୍ତାର କାରଣ ସାଜିଛି । ଏବଂ ନିଜ ସଙ୍ଗଠନକୁ ସଜାଡିବା ପାଇଁ ଦଳ ପାଇଁ ଏକମାତ୍ର ଭରସା ସାଜିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନଭେମ୍ବର ମାସରୁ ତୃଣମୂଳ ସ୍ତରରୁ ମଇଦାନକୁ ଓହ୍ଲାଇବା ନେଇ ପୂବରୁ ଘୋଷଣା କରିଥିଲେ । କିନ୍ତୁ ଏବେ ଏହି ରଣନୀତି ବଦଳାଇବା ସହ ନଭେମ୍ବର ମାସ ଶେଷକୁ ନବୀନ ମଇଦାନକୁ ଓହ୍ଲାଇବା ନେଇ ଏବଂ ଗାଁକୁ ଗାଁ ବୁଲିବା ନେଇ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । କର୍ମୀ ଏବଂ ନେତାଙ୍କ ସହ ଘନ ଘନ ବୈଠକ ଏବଂ ମାନଓ ମନ୍ଥନ ପରେ ଗ୍ରାଉଣ୍ଡକୁ ଓହ୍ଲାଇବେ । ନଭେମ୍ବର ଶେଷ ଓ ଡିସେମ୍ବର ଆରମ୍ବରୁ ଜିଲ୍ଲା ବୁଲିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗ୍ରାଉଣ୍ଡ ଜିରୋରୁ ନେତା ଓ କର୍ମୀଙ୍କୁ ଭେଟିବେ ଏବଂ ସେମାନଙ୍କୁ ଗୁରୁମନ୍ତ୍ର ଦେବେ । ଆଗକୁ ପଞ୍ଚାୟତ ନିବାଚନ ଆସୁଥିବାରୁ ଗାଁ ଗାଁ ରେ କିପରି ବିଜେଡିର ସ୍ୱର ଶୁଭିବ ସେନେଇ ଯୋଜନା ପ୍ରସ୍ତୁତ କରିବା ନେଇ ଚର୍ଚ୍ଚା ହେଉଛି । ତେବେ ନବୀନଙ୍କ ଏହି ଗାଁ ବୁଲା ରଣନୀତି ଦଳ ପାଇଁ ଅନେକାଂଶରେ ଫଳପ୍ରଦ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ତେବେ ହାରିବା ପରେ ପୁଣି ନିଜ ସଙ୍ଗଠନ ସଜାଡିବାକୁ ବିଜେଡି ନୂଆ ନୂଆ ରଣକୌଶଳ ଆପଣାଉଥିବା ବିଗତ ଦିନମାନଙ୍କରେ ଦେଖିବାକୁ ମିଳିଛି । କେତେବେଳେ ସାଧାରଣ ଲୋକଙ୍କ ପାଖକୁ ଯାଇ ଖୋଦ ନବୀନ ଭେଟୁଛନ୍ତି ତ ଆଉ କେତେବେଳେ ନବୀନ ନିବାସରେ ସମସ୍ତ ଜିଲ୍ଲାର କର୍ମକର୍ତ୍ତାଙ୍କୁ ନେଇ ଘନ ଘନ ବେଠକ ସହ ଆଲୋଚନା କରୁଛନ୍ତି । ଏହା ସହ ଦଳରେ ନୂଆ କର୍ମୀଙ୍କୁ ସାମିଲ କରିବା ପାଇଁ ସଦସ୍ୟତା ଅଭିଯାନ ମଧ୍ୟ କରୁଛନ୍ତିା ଆଉ ଏବେ ତ ଖୋଦ ବିଜେଡି ସୁପ୍ରିମୋ ମଇଦାନକୁ ଓହ୍ଲାଉଛନ୍ତି । ତେବେ ଦଳର ଅନ୍ୟ ଛାମୁଆ ସଙ୍ଗଠନକୁ ମଧ୍ୟ ଗ୍ରାଉଣ୍ଡକୁ ଯିବାକୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ । ତେବେ ସାଧାରଣ ନିବାଚନରେ ହାରିବା ପରେ ଆଗକୁ ପଞ୍ଚାୟତ ନିବାଚନ ଆସୁଛି । ଆଉ ଏହା ବିଜେଡି ପାଇଁ ଏକ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ତେବେ ଦେଖାଯାଉ ଏହି ପରୀକ୍ଷାରେ ନବୀନଙ୍କ ରଣନୀତି କେତେ ସଫଳ ହେଉଛି ତାହା ଦେଖିବାକୁ ଅପେକ୍ଷା ।
ବ୍ୟୁରୋ ରିପୋର୍ଟ ରିଓ ନ୍ୟୁଜ