ନବୀନଙ୍କ ପାଖରେ ଲାଗୁଛି ଲମ୍ବା ଲାଇନ୍ । ସେ ଶଙ୍ଖ ଭବନ ହେଉ ଅବା ନବୀନ ନିବାସ । ଅନେକ ସମୟରେ ଏହି ଦୁଇଟି ସ୍ଥାନରେ ନେତା ଏବଂ ସାଧାରଣ ଜନତାଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ସରକାରରେ ନଥାଇ ବି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ କଥା ଶୁଣିବେ ଏବଂ ସାହାଯ୍ୟର ହାତ ବଢାଇବେ ବୋଲି ସେହି ଆଶାରେ ସାଧାରଣ ଜନତା ନବୀନଙ୍କ ପାଖକୁ ଧାଇଁ ଆସୁଥିବା ଦେଖିବାକୁ ମିଳିଛି । ଏପରିକି ଦଳୀୟ ନେତା ଏବଂ କର୍ମୀମାନଙ୍କ ଗହଳି ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ବର୍ତମାନର ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ସରକାରକୁ ଆସିବାର ଏକ ବର୍ଷ ପରେ ବି ସେଭଳି ଚିତ୍ର ଦେଖିବାକୁ ମିଳିଲାନି ।
ନା ପାର୍ଟୀ ଅଫିସ ନା ସଭା ସମିତି କେଉଁଠି ବି ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳୁନି । ଦୀର୍ଘ ମାସ ହେବ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାଯ୍ୟକ୍ରମ ସଭା ସମିତିରେ ସାଧାରଣ ଲୋକଙ୍କ ପାଇଁ ପଡିଥିବା ଚେୟାର ଗୁଡିକ ଖାଲି ପଡୁଥିବା , ଲୋକେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣୁନଥିବା, ଅଭିଭାଷଣ ସମୟରେ ସାଧାରଣ ଜନତାଙ୍କ ସହିତ ପୋଲିସମାନେ ନିଜ ନିଜ ଫୋନ୍ ଟିପୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଏପରିକି ଏହି ପ୍ରକାର ଭିଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ନିଜେ ଏ ସମ୍ପର୍କରେ ମୁହଁ ଖୋଲିଥିବା ନଜର ଆସିଥିଲେ । ଏବଂ ଏହା ପଛରେ ଯାହାର ହାତ ଅଛି ସେମାନଙ୍କୁ ଭରା ସଭାରେ ୱାର୍ଣ୍ଣିଂ ବି ଦେଇଥିଲେ । କିନ୍ତୁ ତଥାପି ସ୍ଥିତି ସୁଧୁରୁନି । ଲୋକଙ୍କ ପାଇଁ ପଡିଥିବା ଚେୟାର ଫାଙ୍କା ପଡୁଛି ଏବଂ ବାଧ୍ୟ ହୋଇ କଲ୍ ଏବଂ ମେସେଜ ଯୋଗେ କର୍ମୀମାନେ ଲୋକଙ୍କୁ ସଭାରେ ସାମିଲ ହେବା ନେଇ କହୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଆଉ ଏଥିରୁ ବିଜେପି ଲୋକଙ୍କ ସରକାର ମୁଖ୍ୟମନ୍ତ୍ରୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଯେଉଁ ଡିଣ୍ଡିମ ପିଟୁଛି ତାହା ମିଛ ବୋଲି ପ୍ରମାଣିତ ହେଉଛି ।
ଅନ୍ୟପଟେ କେବଳ ନବୀନଙ୍କ ପାଇଁ ଯେ, ଭିଡ ଜମୁଛି ତାହା ନୁହେଁ । ବିଜେଡି ନେତାଙ୍କ ସଭା ସମିତି ଏବଂ କାର୍ଯ୍ୟକ୍ରମ ଗୁଡିକରେ ମଧ୍ୟ ଅସଂଖ୍ୟ ଭିଡ ଜମୁଛି । ଯାଜପୁରରୁ ରାଜଧାନୀ ସବୁଠି ବିଜେଡି ସପୋର୍ଟର ଭରପୁର ରହିଛନ୍ତି । ଏବଂ ବିଜେଡି ସଭାରେ ସ୍ୱତପୂର୍ତ ଭାବରେ ସାମିଲ ହେଉଛନ୍ତି । ଯାହା ବିଜେଡିର କ୍ରେଜ ବଢାଉଛି । କିନ୍ତୁ ଶାସକ ନେତା ଏହା ମାନିବାକୁ ନାରାଜ । ତେବେ ଦେଖାଯାଉ ଏହି କ୍ରେଜ ବିଜେଡି ପାଇଁ କେତେ ଫଳପ୍ରଦ ହେଉଛି ଏବଂ ଆଗାମୀ ନିବାଚନରେ ବାଜି ଓଲଟୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।