ଲୋକଙ୍କ ଜୀବନ ନେଉଛି ହଇଜା ଏପଟେ ଉତ୍ସବରେ ମାତିଛନ୍ତି ରାଜ୍ୟ ସରକାର । ନିଜର ଏକବର୍ଷ ପୂର୍ତ୍ତି ଉତ୍ସବକୁ ଧୁମଧାମରେ ସେଲିବ୍ରେସନ କରୁଛି ଭାରତୀୟ ଜନତା ପାର୍ଟି । କିନ୍ତୁ ଏପଟେ ଯାଜପୁର ଜିଲ୍ଲାରେ ଲୋକଙ୍କ ଜୀବନକୁ ସଙ୍କଟରେ ପକାଇଛି ହଇଜା । ନବୀନଙ୍କ ଟିମ ପହଞ୍ଚି ସେଠାରେ ସ୍ଥିତି ପରଖି ଥିଲେ ସୁଦ୍ଧା ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପ୍ରକାର କଡା ପଦକ୍ଷେପ କାହିଁକି ନେଉନାହାନ୍ତି ସେ ନେଇ ମୁହଁ ଖୋଲିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଲା ନବୀନଙ୍କ ପୋଷ୍ଟ ।
ଜିଲ୍ଲାକୁ ଜିଲ୍ଲା ବୁଲି ଭାଷଣ ଦେଉଛନ୍ତି କିନ୍ତୁ ଯାଜପୁର ଜିଲ୍ଲାରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ଏବଂ ଏହା 14 ଜୀବନ ମଧ୍ୟ ନେଇ ସାରିଲାଣି । ସବୁ ପରେ ବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନ ପରଖିବା ଘଟଣାରେ ସୋସିଆଲ ମିଡିଆରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ । ନବୀନ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ।
ଲୋକଙ୍କ ଜୀବନକୁ ସଙ୍କଟରେ ପକାଇଲାଣି ହଇଜା। ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳିନଥିଲା ତାହା ଏବେ ବିଭିନ୍ନ ଜିଲ୍ଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକ ଓ କେନ୍ଦୁଝର ଆଦି ଜିଲ୍ଲାରେ ହଇଜା ଭୟଙ୍କର ରୂପ ନେଉଥିବା ବେଳେ ଅନ୍ୟ ଜିଲ୍ଲାକୁ ମଧ୍ୟ ଏହା ବ୍ୟାପିବାକୁ ଲାଗିଲାଣି । ବର୍ତ୍ତମାନ ସୁଦ୍ଧା ହଇଜାରେ ୧୪ ଜଣ ପ୍ରାଣ ହରାଇବା ମୋତେ ବ୍ୟଥିତ କରିଛି। ସେମାନଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ଵଜନଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଓଡ଼ିଶାରେ ହଇଜା ବ୍ୟାପୁଥିବା ବେଳେ ରାଜ୍ୟ ସରକାର ଏହାକୁ ହାଲକା ଭାବେ ନେବା ସମସ୍ତଙ୍କୁ ବେଶ୍ ଚକିତ ଓ ବିଚଳିତ କରୁଛି। ଲୋକଙ୍କ ଜୀବନକୁ ଆଉ ବିପଦକୁ ନ ଠେଲି ସରକାର ସଜାଗ ହୁଅନ୍ତୁ, ହଇଜାର ବ୍ୟାପକତାକୁ ରୋକିବା ପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ।
ନିଜର ସୋସିଆଲ ମିଡିଆରେ ଏପରି କିଛି ଲେଖିବା ସିତ ସରକାରଙ୍କୁ ସଜାଗ ରହି ତୁରନ୍ତ ଦୃଢ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ।