ବିଜେପି ଶିବିରରେ ବଡ ହଲଚଲ । ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣକୁ ନେଇ ପୁଣି ବଢିଲାଣି ଚର୍ଚ୍ଚା । ବର୍ଷେ ପରେ ମନ୍ତ୍ରୀ ମଣ୍ଡଳରୁ ହଟିବେ ମନ୍ତ୍ରୀ, ଆସିବେ ନୂଆ ଚେହେରା । ନିକଟରେ ରାଜ୍ୟରେ ସରକାର ଚଳାଇବାର ଏକ ବର୍ଷ ପୂର୍ତି ବେଶ୍ ଆଡମ୍ବରରେ ପାଳନ କରିଥିଲେ ମୋହନ ସରକାର । ଅଧାଗଢା ମନ୍ତ୍ରୀ ମଣ୍ଡଳରେ ପ୍ରଥମ ବର୍ଷର ଶାସନ ପୂରଣ କରି ନିଜ ପିଠି ନିଜେ ଥାପୁଡାଇଛନ୍ତି ମୋହନ ସରକାର । କିନ୍ତୁ ଆଉ କିଛି ଦିନ ପରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବା ନେଇ ପୁଣି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ପ୍ରଥମ ବର୍ଷ ପରେ ମନ୍ତ୍ରୀ ମଣ୍ଡଳରୁ କିଛି ମନ୍ତ୍ରୀ ବିଦା ହେବା ସହ କିଛି ନୂଆ ଚେହେରାଙ୍କୁ ଦାୟିତ୍ୱ ମିଳିବା ନେଇ ସମ୍ଭାବନା ବଢି ବଢି ଚାଲିଛି ।
ତେବେ ରାଜ୍ୟରେ ମୋହନ ସରକାରଙ୍କୁ ଏକ ବର୍ଷ ସିନା ପୂରିଗଲାଣି । କିନ୍ତୁ ଏବେ ବି ଠିକ୍ ସେ ଶାସନ ବ୍ୟବସ୍ଥା ଚାଲିପାରୁନି । ଯେଉଁଠି ଦେଖିବ ସେଠି ଅବ୍ୟବସ୍ଥା । ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର ସାମ୍ନାକୁ ଆସୁଥିବା ବେଳେ, ଆଇନବ୍ୟବସ୍ଥା ଉପରୁ ଲୋକଙ୍କ ଭରଷା ତୁଟିଗଲାଣି । ଏହା ସହ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ମିଛ ବୟାନ, ସେପଟେ ଶିକ୍ଷା ବ୍ୟବସ୍ଥାରେ କୌଣସି ପରିବର୍ତନ ନଜର ଆସୁନି । ତେବେ କେବଳ ଏତିକି ନୁହେଁ, ମନ୍ତ୍ରୀ ମାନଙ୍କ କଥାରେ ତାଳମଳ ରହୁନଥିବା କାରଣରୁ ଅନେକ ବିକାଶ ମୂଳକ କାଯ୍ୟ ଠପ୍ ହୋଇ ପଡିରହିଛି । କିନ୍ତୁ ନିଜ ନିଜ ବିଭାଗକୁ ଏକ ନମ୍ବର ସ୍ଥାନରେ ରଖି ନିଜର ସ୍ୱଚ୍ଛ ରିପୋର୍ଟ କାର୍ଡ ବାଣ୍ଟିଛନ୍ତି ମନ୍ତ୍ରୀ । କିନ୍ତୁ ତଥାପି ମନ୍ତ୍ରୀମଣ୍ଡଳରୁ କିଛି ମନ୍ତ୍ରୀ ହଟିବା ସହ କିଛି ନୂଆ ଚେହେରାଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିବା ନେଇ ରାଜନୈତିର ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି । ତେବେ ଏସବୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ହେବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ତେବେ ଏବେ ବି ରାଜ୍ୟବ୍ୟାପି ବର୍ଷ ପୂର୍ତିର ଉତ୍ସବ ବିଜେପି ନେତାମାନେ ପାଳନ କରୁଥିବା ବେଳେ ଏଥିରେ ସାମିଲ ହେବା ପାଇଁ ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବା କାଯ୍ୟକ୍ରମ ରହିଛି । ଏହି ଅବସରରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ବର୍ଷ ଶାସନର ରିପୋର୍ଟ କାର୍ଡ ବିଧିବଦ୍ଧ ଭାବେ ପ୍ରଦାନ କରିବା ନେଇ ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ତେବେ ରଥଯାତ୍ରା ପୂର୍ବରୁ କି ବାହୁଡ଼ା ଯାତ୍ରା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ତାହା ଚୂଡ଼ାନ୍ତ ହୋଇ ପାରିନାହିଁ । ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ସେମାନଙ୍କର ବାର୍ଷିକ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିସାରିଛନ୍ତି । ସେହି ଆଧାରରେ କେଉଁମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ବଜାୟ ରଖିବେ ଓ କେଉଁମାନେ ବାଦ ପଡ଼ିବେ ତାହା ମୁଖ୍ୟମନ୍ତ୍ରୀ ସ୍ଥିର କରିବେ ବୋଲି କୁହାଯାଉଛି ।