ଉପମୁଖ୍ୟମନ୍ତ୍ରୀଙ୍କ ବୁଡିଲା ଭେଳା । ଚାରିଆଡୁ ସମାଲୋଚନାର ଶିକାର ହେଲେଣି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ହଁ ଆଜ୍ଞା, ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଗଲାଣି । ରାଜଧାନୀରୁ ଆରମ୍ଭ କରି ଗ୍ରାମାଞ୍ଚଳ ଏପରିକି ପର୍ଯ୍ୟଟନ ସ୍ଥଳୀରେ ବି ମହିଳାମାନେ ଆଉ ସୁରକ୍ଷିତ ନାହାନ୍ତି । କେଉଁଠି ଘରୁ ଉଠାଇ ନେଇ ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି ତ ଆଉ କେଉଁଠି ଶହ ଶହ ଲୋକଙ୍କ ଗହଳିରେ ବି ମହିଳାମାନେ ସୁରକ୍ଷିତ ରହୁନାହାନ୍ତି । ଯାହାକୁ ନେଇ ଏବେ ପର୍ଯ୍ୟଟନ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ପ୍ରଶ୍ନ ଉଠୁଛି । ଏବଂ ବିଜେପି ସରକାର ଆପଣାଇଥିବା ଜିରୋ ଟଲେରାନ୍ସ ନୀତି ନୀତି କୁଆଡେ ଗଲା, ବିଧାନସଭାରେ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଆଇନ ବ୍ୟବସ୍ଥାକୁ ନେଇ ବଡ ବୟାନ କୁଆଡେ ଗଲା , ଏବଂ ଡବଲ ଇଞ୍ଜିନ ସରକାରରେ ଡବଲ ସୁରକ୍ଷା ବ୍ୟବସ୍ଥା କୁଆଡେ ଗଲା ସେନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି ।
ତେବେ ପର୍ଯ୍ୟଟନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳାଙ୍କ ସୁରକ୍ଷା ପାଇଁ ଏକ ବର୍ଷ ଭିତରେ କଣ କଣ କରିଛନ୍ତି ତାକୁ ନେଇମଧ୍ୟ ନାନା ଚର୍ଚ୍ଚା ଚାଲିଛି । କାହିଁକି ନା ଗଣାମାଧ୍ୟମକୁ ଆସିବା ମାତ୍ରେ ପ୍ରଭାତୀ ପରିଡା କେବଳ ସୁଭଦ୍ରା ଏବଂ ଲକ୍ଷପତି ଦିଦି ଯୋଜନାର ପ୍ରଚାର ପ୍ରସାର କରିବା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗ ଉପରେ ବକ୍ତବ୍ୟ ଦେଉଥିବା ନଜର ଆସୁନାହାନ୍ତି । ତେଣୁ ମହିଳାଙ୍କ ପ୍ରତି ବିଜେପି ସରକାରରେ ବଢୁଥିବା ନିର୍ଯ୍ୟାତନା ପଛରେ କେଉଁଠି ନା କେଉଁଠି ପ୍ରଭାତୀଙ୍କ ଖାମଖିଆଲ ମନୋ ଭାବ ଥିବା ବିରୋଧୀ କଡା ମନ୍ତବ୍ୟ ଦେଇ ଅଭିଯୋଗ ଆଣିଛନ୍ତି । ଏପରିକି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମନ୍ତ୍ରୀଙ୍କ ଇସ୍ତଫା ବି ଦାବି କରିଛନ୍ତି ।
ସେପଟେ ବିଧାନସଭାରେ ଆଇନ ବ୍ୟବସ୍ଥାକୁ ନେଇ ବଡ ବଡ ବୟାନ ଦେଇଥିବା ମନ୍ତ୍ରୀ ସୂରଜ ସୂର୍ଯ୍ୟବଶୀଙ୍କୁ ବି ସମାଲୋଚନା କରାଯାଉଥିବା ଚର୍ଚ୍ଚା ଚାଲିଛି ।