ନବୀନଙ୍କ ଗୋଟିଏ ଝଲକ ପାଇଁ ଲାଗିଲା ଅସମ୍ଭାଳ ଭିଡ । ଏୟାରପୋର୍ଟରୁ ଆରମ୍ଭ କରି ନବୀନ ନିବାସ ସବୁଠି ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଏପରିକି ରାସ୍ତାରେ ଲୋକଙ୍କ ଗହଳି ନଜର ଆସିଛି । ହୁଳହୁଳିରେ ରାଜରାସ୍ତା କମ୍ପିବା ସହ ନବୀନଙ୍କ ଶୁଭ ମନାସିଛନ୍ତି । ତେବେ ଏସବୁ ନବୀନଙ୍କ ମୁମ୍ବାଇ ଗସ୍ତ ପୂର୍ବରୁ ଦେଖିବାକୁ ମିଳିଛି । ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଏବଂ ସେ ସର୍ଭିକାଲ ଆଥ୍ରାଇଟିସ୍ ନାମକ ସମସ୍ୟାରେ ପୀଡିତ ଥିବାରୁ ତାଙ୍କର ଚିକିତ୍ସା ମୁମ୍ବାଇ ସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବା ନେଇ ସୂଚନା ମିଳିଛି । ଏପରିକି ନିଜେ ପୂବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଜଣାଇଥିଲେ । ଆଉ ଆଜି ନବୀନ ନିଜ ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତ କରିଛନ୍ତି ।
କିନ୍ତୁ ନବୀନ ମୁମ୍ବାଇ ଯିବା ପୂବରୁ ନବୀନ ନିବାସ ସହ ଏୟାରପୋର୍ଟରେ ବି ନବୀନଙ୍କ ପ୍ରଶଂସକଙ୍କ ପ୍ରବଳ ଭିଡ ଲାଗିଥିଲା । ମହିଳାମାନେ ହୁଳହୁଳି ଦେଇ ନବୀନଙ୍କୁ ବିଦାୟ ଦେବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ସେହିପରି ଅନ୍ୟ ନେତା ଏବଂ କର୍ମୀମାନେ ନବୀନ ପଟ୍ଟନାୟକ ନବୀନଙ୍କ ଶୁଭ ମନାସିବା ସହ ସେ ଶୀଘ୍ର ଭଲ ହୋଇ ଫେରିଆସିବେ ବୋଲି ମତବ୍ୟକ୍ତ କରିଥିଲେ ।
ତେବେ ବର୍ତ୍ତମାନ ୭୮ ବର୍ଷରେ ପଦାର୍ପଣ କରିଛନ୍ତି ନବୀନ ପଟ୍ଟନାୟକ। ଅନେକ ସମୟରେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚର୍ଚ୍ଚା ହୁଏ। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପରାଜିତ ହେବା ପରେ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ ବର୍ଷର ସରକାର ଭାଙ୍ଗି ଯାଇଥିଲା । ଦଳ ପରାଜୟ ହେବା ପରେ ଦଳୀୟ ନେତାଙ୍କୁ ନେଇ ନବୀନ ଅନେକ ବୈଠକ କରିଥିବାର ଚିତ୍ର ସାମ୍ନାକୁ ଆସିଥିଲା । ଯାହା ସେ ସୁସ୍ଥ ଥିବା ଦର୍ଶାଇଥିଲା । ବର୍ତ୍ତମାନ ସମୟରେ ଏହି ଖବର ନବୀନଙ୍କ ଅନୁଗାମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କର ସମର୍ଥକମାନେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ନବୀନଙ୍କ ଏହି ଯାତ୍ରା ଏବଂ ଚିକିତ୍ସା ସମ୍ପର୍କରେ ଅଧିକ ତଥ୍ୟ ଶୀଘ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।