ପୁଣି ଥରେ ପାକିସ୍ତାନର ଗର୍ବ ହେଲା ଚୁରମାର । ପାକିସ୍ତାନୀ ମହିଳାଙ୍କ ଉପରେ ଭାରି ପଡିଗଲେ ଭାରତୀୟ ମହିଳା । ବାରମ୍ବାର ଭାରତ ଠାରୁ ହାରି ଧୂଳି ଚାଟୁଛି ପଡୋଶୀ ଦେଶ ପାକିସ୍ତାନ । ନିକଟରେ ଏସିଆ କପ୍ ୨୦୨୫ ଟୁର୍ଣ୍ଣାମେଣ୍ଟରେ ବାରମ୍ବାର ଭାରତ ଠାରୁ ହାରି ଶେଷରେ ଫାଇନାଲ କପ୍ ବି ହରାଇଥିଲା ପାକିସ୍ତାନ । ଆଉ ଏବେ ମହିଳା ବିଶ୍ୱକପ୍ ୨୦୨୫ ରେ ବି ପାକିସ୍ତାନ ଭାରତ ଠାରୁ ହାରି ମାଟି କାମୁଡିଛି । ଭାରତୀୟ ମହିଳା ଟିମ୍ ଦ୍ୱିତୀୟ ମ୍ୟାଚରେ ବି ବିଜୟୀ ହୋଇଥିବା ବେଳେ ପାକିସ୍ତାନୀ ଟିମ୍ ଦୁଇଟି ଯାକ ମ୍ୟାଚରେ ପରାଜିତ ହୋଇଛି । ପ୍ରଥମ ମ୍ୟାଚରେ ବାଙ୍ଗଲାଦେଶଠାରୁ ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟରଙ୍କ ଠାରୁ ୮୮ ରନରେ ହାରିଛନ୍ତି ପାକିସ୍ତାନ ମହିଳା କ୍ରିକେଟର । ସେହିଭଳି ଭାରତ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୫୯ ରନରେ ପରାଜିତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଛନ୍ତି ଭାରତୀୟ ମହିଳା ଖେଳାଳି । ଯାହାକୁ ନେଇ ଭାରତୀୟ ଖେଳାଳିଙ୍କୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ପାକିସ୍ତାନର ଗର୍ବ ପୁଣି ଥରେ ଚୁରମାର ହୋଇଥିବା ଚର୍ଚ୍ଚା ହେଉଛି ।
ପାକିସ୍ତାନୀ ଅଧିନାୟକ ଫାତିମା ସନା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । କିନ୍ତୁ ୨୪୮ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ପାକିସ୍ତାନ ୪୩ ଓଭରରେ ସମସ୍ତ ୱିକେଟ୍ ହରାଇଥିଲା। ପାକିସ୍ତାନ ଟିମ୍ ମାତ୍ର ୧୫୯ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟପଟେ ବ୍ୟାଟିଂ ପରେ ଭାରତୀୟ ଟିମ୍ ବୋଲିଂ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଛି। କ୍ରାନ୍ତି ଗୌଡ଼ ଓ ଦୀପ୍ତି ଶର୍ମା ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ସ୍ନେହ୍ ରାଣାଙ୍କୁ ୨ଟି ୱିକେଟ୍ ମିଳିଥିଲା। ଅନ୍ୟପଟେ ଦେଖିବାକୁ ଗଲେ ଭାରତୀୟ ଟିମର କୌଣସି ଖେଳାଳି ବ୍ୟକ୍ତିଗତ ଭାବେ ୫୦ ରନ୍ ସଂଗ୍ରହ କରିନିଥିବା ବେଳେ ପାକିସ୍ତାନ ଟିମର ଖେଳାଳୀ ସିଦ୍ରା ଅମିନ୍ ବ୍ୟକ୍ତିଗତ ଭାବେ ସର୍ବାଧିକ ୮୧ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ବିଜୟ ଭାରତୀୟ ଟିମ୍ ନିଜ ଖାତାରେ ଲେଖିଛି ।
