କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର କ୍ୟାନ୍‌ସର ଉଇଙ୍ଗ

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର କ୍ୟାନ୍‌ସର ଉଇଙ୍ଗ ପ୍ରତିଷ୍ଠା ହେବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ରାଜ୍ୟରେ କର୍କଟ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ ପ୍ରସଙ୍ଗରେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲା ସୋମବାର ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି କରିଥିଲେ। ଶୁଣାଣିବେଳେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠରେ ଏବେ ବାଲେଶ୍ୱର ଓ ବ୍ରହ୍ମପୁରରେ ପେଟ୍‌ ସିଟି ସ୍କାନ ସମ୍ଭବ ନୁହେଁ ବୋଲି ଦର୍ଶାଯାଇଛି। ପେଟ୍‌ ସିଟି ସ୍କାନ ଚିକିତ୍ସା ପାଇଁ ସାଇକ୍ଲୋଟ୍ରନ ଆବଶ୍ୟକ ହୋଇଥାଏ। ଏହି ସାଇକ୍ଲୋଟ୍ରନ ସାଧାରଣତଃ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଓ କୋଲକତାରୁ ଆସିଥାଏ। ଏଥିସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କର୍କଟ ରୋଗୀଙ୍କ ଚିକିତ୍ସା ଏହାଦ୍ୱାରା କରାଯାଇଥାଏ। ହେଲେ ନିକଟରେ ଏୟାରପୋର୍ଟ ନ ଥିବାରୁ ସାଇକ୍ଲୋଟ୍ରନ ଅଣାଯିବାରେ ସମସ୍ୟା ରହିଛି। ସେ ଦୃଷ୍ଟିରୁ ବାଲେଶ୍ୱର ଓ ବ୍ରହ୍ମପୁରରେ ଏବେ ଏହି ଚିକିତ୍ସା ସମ୍ଭବ ନୁହେଁ ବୋଲି ସତ୍ୟପାଠରେ କାରଣ ଦର୍ଶାଯାଇଛି। ତେଣୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩ ତାରିଖକୁ ଧାର୍ଯ୍ୟ ହୋଇଛି। ଆବେଦନକାରୀ ଅନିତା ବୁଦ୍ଧିଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ ଓ ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ଏବଂ ଆଚାର୍ଯ୍ୟ ହରିହର ପିଜି କର୍କଟ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ତରଫରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଛନ୍ତି। ଆବେଦନକାରୀ ଅନିତା ବୁଦ୍ଧିଆ କର୍କଟ ରୋଗୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ଓ ପରୀକ୍ଷା ବ୍ୟବସ୍ଥାକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ସେହିପରି ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦ ପକ୍ଷରୁ କର୍କଟ କେନ୍ଦ୍ରର ବ୍ୟାପକ ଅବ୍ୟବସ୍ଥାକୁ ନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

author

Related Articles

Leave a Reply

Your email address will not be published. Required fields are marked *