ଦୋକାନୀଙ୍କ ଦଖଲରେ ଫୁଟପାଥ

ଦୋକାନୀଙ୍କ ଦଖଲରେ ଫୁଟପାଥ

ଭୁବନେଶ୍ୱର:

ଫୁଟପାଥରେ ପଡୁଛି ଚେୟାର, ଲାଗୁଛି ବାଇକ | ଚା’ ସାଙ୍ଗକୁ ଉଡୁଛି ସିଗାରେଟ ଧୂଆଁ | ଜଣେ ଅଧେ ନୁହେଁ ଏକାଧିକ ଯୁବକ ଯୁବତୀଙ୍କ ଆଡା ଜମୁଛି କଳିଙ୍ଗ ନଗର କେ-୧ରୁ ସମ ହସ୍ପିଟାଲ ରାସ୍ତା ଫୁଟପାଥରେ | ଏହି ରାସ୍ତା କଡରେ ଦିନକୁ ଦିନ ଜବର ଦଖଲ ବଢ଼ୁଥିବାରୁ ଦୋକାନ ସଂଖ୍ୟା ବି ବଢିଚାଲିଛି | ଯାହା ପାଇଁ ଅପରାହ୍ନରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଯିବା ଆସିବା କରିବା ମୁସ୍କିଲ ହୋଇପଡିଛି | ମୁଖ୍ୟତଃ ଏଠାରେ ଅଧିକାଂଶ ଯୁବ ପିଢ଼ି ଫୁଟପାଥ୍କୁ ଅବରୋଧ କରି ରହୂବର ବରିଷ୍ଠ ନାଗରିକଙ୍କ ଚାଲବୁଲ କରିବା କାଠିକର ପାଠ ହୋଇପଡୁଛି | ପଥଚାରୀଙ୍କ ପାଇଁ ଲକ୍ଷାଧିକ ତାଙ୍କ ଖର୍ଚ୍ଚରେ ଫୁଟପାଥ ନିର୍ମାଣ ହୋଇଛି | ଅନେକ ସ୍ଥାନରେ ଏହାକୁ ଟାଇଲ, ପେଭର ବ୍ଲକ ଆଦି ପକାଯାଇ ସୁସଜ୍ଜିତ କରାଯାଉଛି | ପଥଚାରୀଙ୍କ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବାକୁ ଫୁଟପାଥ ନିର୍ମାଣ ହେଉଛି | କିପରି ପଦାଚାରୀମାନେ ଦୁର୍ଘଟଣାର ଶିକାର ନହେବେ ସେଥିପାଇଁ ଫୁଟପାଥ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି | କିନ୍ତୁ ଏହି ରାସ୍ତାକଡ଼ରେ ଥିବା ଦୋକାନୀମାନେ ଫୁଟପାଥ ଉପରେ ଚେୟାର ଟେବୁଲ ପକାଇ ଏହାକୁ ସମ୍ପୂର୍ଣ ନିଜ କବଜାରେ ରଖୁଥିବାରୁ ସାଧାରଣ ଲୋକଙ୍କ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଛି |

ଫୁଟପାଥଗୁଡିକୁ ଅବରୋଧ ମୁକ୍ତ କରିବା ପାଇଁ ବିଏମସିର ୩ଟି ଜୋନକୁ ଦାଇତ୍ୱ ଦିଆଯାଇଛି | ଜୋନାଲ ଡେପୁଟି କମିସନରଙ୍କ ଅଧୀନରେ ଥିବା ଏନ୍ଫୋର୍ସମେଣ୍ଟ ଟିମ ଏହି ଦାୟିତ୍ୱରେ ନିୟୋଜିତ ହୋଇଛି | କିନ୍ତୁ ଏହି ଟିମ ଏଥିପ୍ରତି କୌଣସି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି | ଏମିତିକି ସ୍ଥାନୀୟ ଲୋକ ଏନେଇ ବିଏମସିକୁ ଅବଗତ କରାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହେଉଛି | ଅନ୍ୟପଟେ ଏହି ରାସ୍ତାରେ ଜମା ହେଉଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ନିଶା ଦ୍ରବ୍ୟ ସେବନ କରି ଚୁର ରହୁଥିବାରୁ ସାଧାରଣ ଲୋକେ ମଧ୍ୟ ସେମାନଙ୍କୁ ବିରୋଧ କରିବାକୁ ଭୟ କରୁଛନ୍ତି | ଯାହାର ଫାଇଦା ଦୋକାନୀଙ୍କୁ ମିଳୁଛି ଓ ଦିନକୁ ଦିନ ଏହି ସମସ୍ୟା ବଢି ଚାଲିଛି | ଅନ୍ୟପଟେ ଏହି ରାସ୍ତା ଦେଇ ଦୁଇ ଦୁଇଟି ହସ୍ପିଟାଲକୁ ଗାଡି ଯାଉଛି | ଏଥିପାଇଁ ଏହି ରାସ୍ତାକୁ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଭାବେ ଗ୍ରହଣ କରାଯାଇଛି | ହେଲେ ଏହି ରାସ୍ତାକୁ ଜବରଦଖଲକାରୀମାନେ ସମ୍ପୂର୍ଣ କବଜା କରି ନେବାକୁ ବସିଥିବା ବେଳେ ଅସାମାଜିକମାନେ ଆଡ୍ଡା ଜମାଉଥିଲେ ମଧ୍ୟ କମିସନରେଟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଜଣାପଡିଛି | ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଫୁଟପାଥରେ ରୁଣ୍ଡ ହୋଇ ଯୁବକ ଯୁବତୀମାନେ ନିଶା ସେବନ କରୁଥିବା ଅଭିଯୋଗ ହେଉଛି, ହେଲେ ଏଠାକୁ ପଇନ୍ତରା ମାରିବାକୁ ଆସୁଥିବା ପିସିଆର ସବୁ ଦେଖି କିଛି ନ ଦେଖିବା ଭଳି ଚାଲି ଯାଉଥିବା ଅଭିଯୋଗ ହୋଇଛି |

author

Related Articles

Leave a Reply

Your email address will not be published. Required fields are marked *