ଦେବୀ କରନ୍ତି ଅଗ୍ନିସ୍ନାନ

ଦେବୀ କରନ୍ତି ଅଗ୍ନିସ୍ନାନ

ରାଜସ୍ତାନ:

ରାଜସ୍ତାନରୁ ୬୦ କିଲୋମିଟର ଦୂର ଆରାବଳୀ ପର୍ବତ ଉପରେ ଅବସ୍ଥିତ ଇଡାଣା ମାତା ମନ୍ଦିର | ତେବେ ଏ ମନ୍ଦିର ଅନ୍ୟ ସମସ୍ତ ମନ୍ଦିରଠାରୁ ସମ୍ପୂର୍ଣ ଅଲଗା ହୋଇଥିବା ବେଳେ ମା’ଙ୍କ ମହିମା ମଧ୍ୟ ବେଶ ନିଆରା | ତେବେ ମା’ ମନ୍ଦିର ଭିତରେ ନୁହେଁ ବରଂ ଏକ ବରଗଛ ମୂଳେ ରହୁଛନ୍ତି | ଇଡାଣା ମାତା ଏଠାରେ ମହାଭାରତ କାଳରୁ ବିରାଜମାନ ହୋଇଛନ୍ତି ବୋଲି କୁହାଯାଏ | ମେୱାରର ରାଜାମାନେ ଯୁଦ୍ଧ ପୂର୍ବରୁ ବିଜୟ ପ୍ରାପ୍ତି ପାଇଁ ମା’ଙ୍କୁ ଆସି ଦର୍ଶନ କରୁଥିଲେ | ତେବେ ଇଡାଣା ମାତାଙ୍କ ବିଶେଷତ୍ୱ ହେଉଛି ମା’ ଅଗ୍ନିସ୍ନାନ କରନ୍ତି | ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମାସକୁ ଦୁଇ ତିନିଥର ଆପେ ଆପେ ମା’ଙ୍କ ଆସ୍ଥାନରେ ନିଆଁ ଲାଗିଯାଏ | ଏହାକୁ ମା’ଙ୍କର ଅଗ୍ନିସ୍ନାନ ବୋଲି କୁହାଯାଏ | ଅଗ୍ନିସ୍ନାନ ଦ୍ୱାରା ମାତାଙ୍କ ସମସ୍ତ ଆଭୂଷଣ ଏବଂ ଶୃଙ୍ଗାର ଜିନିଷ ନଷ୍ଟ ହୋଇଯାଉଥିବା ବେଳେ ମା’ଙ୍କ ବିଗ୍ରହର କୌଣସି କ୍ଷତି ଘଟି ନ ଥାଏ |

ଶ୍ରଦ୍ଧାଳୁମାନଙ୍କ ଦେହରେ ନିଆଁ ନ ଲାଗିବା ପାଇଁ ମାତାଙ୍କ ବିଗ୍ରହ ଚାରିପଟେ ଷ୍ଟିଲର ବ୍ୟାରିକେଡ଼ କରାଯାଇଛି | ତେବେ ମନ୍ଦିରରେ କେମିତି ନିଆଁ ଲାଗେ ସେ କଥା ଏ ଯାଏଁ ରହସ୍ୟ ହୋଇ ରହିଛି |୧୦ରୁ ୨୦ ଫୁଟ ଉଚ୍ଚତାରେ ନିଆଁ ଲାଗିଥାଏ ଯାହାକି ପାଞ୍ଚ କିଲୋମିଟର ଦୂରରେ ଦେଖାଯାଏ | ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଅଗ୍ନିସ୍ନାନ ସମୟରେ ମା’ଙ୍କୁ ଲୁଗା ଓ ଫଳ ଲାଗି କରିଥାନ୍ତି | ଏଠାରେ କେବଳ ଏକ ଅଖଣ୍ଡ ଦୀପ ଜଳିଥାଏ | ଯାହାକି ଏକ କାଚ ବକ୍ସ ଭିତରେ ଥାଏ | ମା’ଙ୍କୁ ଲୋକେ ଲାଲ ଚୁନରି ଓ ଶୃଙ୍ଗାର ଜିନିଷ ଚଢ଼ାଇଥାନ୍ତି | ଯାହାକି ମା’ଙ୍କ ବିଗ୍ରହ ପଛପାଖରେ ରଖାଯାଏ | ଏହି ଅଗ୍ନିକୁ ଦର୍ଶନ କରୁଥିବା ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି | ମାନସିକ ପୂରଣ ହେଲେ ବକ୍ତା ଠାକୁରାଣୀଙ୍କୁ ତ୍ରିଶୁଳ ଚଢାନ୍ତି | ସବୁଠୁ ବଡ କଥା ହେଲା, ଏହି ମନ୍ଦିରରେ ପୂଜା କରିବାକୁ ବ୍ରାହ୍ମଣ ନ ଥାନ୍ତି | ଗ୍ରାମବାସୀ ହିଁ ମା’ଙ୍କ ପୂଜାର୍ଚ୍ଚନା ଦାୟିତ୍ୱରେ ରହିଥାନ୍ତି |

author

Related Articles

Leave a Reply

Your email address will not be published. Required fields are marked *