ବାରିପଦାରେ ଗତକାଲି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆଦିବାସୀ ମିନି ମାରାଥନ କାର୍ୟ୍ୟକ୍ରମ ଆୟୋଜିତ ହେଉଥିଲା। ଏହି କାର୍ୟ୍ୟକ୍ରମରେ ହକି ଇଣ୍ଡିଆର ପୂର୍ବତନ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ପ୍ରଦୀପ ମାଝି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଧାୟକ, ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ। ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ ଓ ଏସପି ବି. ଗଙ୍ଗାଧର ମଧ୍ୟ ସଭାସ୍ଥଳରେ ଉପସ୍ଥିତ ଥିଲେ। ଏହି କାର୍ୟ୍ୟକ୍ରମରେ ହଜାର ହଜାର ଯୁବବର୍ଗ ଯୋଗ ଦେଇଥିଲେ। ତେବେ ଏଠାରେ ଦେଖିବାକୁ ମିଳିଛି ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ଦଳୀୟ ରଙ୍ଗର ପୋଷାକ ପିନ୍ଧିଛନ୍ତି । ସରକାରୀ କର୍ମଚାରୀ ହୋଇ ବି ଦଳୀୟ ରଙ୍ଗର ଟି-ସାର୍ଟ ପିନ୍ଧିବାକୁ ଦ୍ୱିଧା ପ୍ରକାଶ କଲେ ନାହିଁ। କାର୍ଯ୍ୟକ୍ରମରେ ଟେଣ୍ଟ, ପେଣ୍ଡାଲ, ଲୋଗୋର ରଙ୍ଗ ଡିଜାଇନ ସବୁ ଦଳୀୟ ରଙ୍ଗର ଥିଲା । ଯାହାକୁ ନେଇ ଓଡିଶା ରାଜନୀତି ତ୍ରୀବ ହେବାକୁ ଲାଗିଲାଣି । ସବୁଜ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ବେଳେ ଜିଲ୍ଲାପାଳ ଓ ଏସ୍ପି ବି ସମାନ ରଙ୍ଗର ଟି- ସାର୍ଟ ପିନ୍ଧିଥିଲେ। ସୋଶାଲ ମିଡିଆ ଏକ୍ସ ଜରିଆରେ ଜଣେ ୟୁଜର ନବୀନଙ୍କ ଟି ସାର୍ଟ ପିନ୍ଧା ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଫଟୋ ପୋଷ୍ଟ କରିଥିଲେ। ଯାହାକୁ ରି ଟ୍ୱିଟ୍ କରି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ହାସ୍ୟାସ୍ପଦ ବୋଲି ଲେଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅଫିସରଙ୍କ ଆଚରଣ ସ୍ତରରେ ଅଧଃପତନ ଏଭଳି ସ୍ତରରେ ପହଞ୍ଚିଲାଣି ବୋଲି ଲେଖିବା ସହ ସଂପୃକ୍ତ ଅଫିସରମାନେ ଜାଣିବା ଉଚିତ୍ ଯେ ସମୟ ସବୁବେଳେ ସମାନ ନଥାଏ ବୋଲି ଟ୍ୱିଟ କରିଛନ୍ତି ଅପରାଜିତା।