କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ନେଇ ଖେଳ କରିଲେଣି । ମାସେ ମାସେ କାଳ ବନକଲାଗି ନୀତିକୁ ବନ୍ଦ କରିବା ଥରେ କରି ଆଉ ନକରିକି ଏବେ ଚାରିଆଡୁ ବାଦ ବିବାଦରେ ଫସିଲେଣି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ । ଆଷାଢ, ଶ୍ରାବଣ ,ଭାଦ୍ରବ ପ୍ରାୟ ୩ମାସରେ ଥରୁଟିଏ ବନକଲାଗି ନୀତି ଅନୁଷ୍ଠିତ ହୋଇଛି । ଶେଷଥର ପାଇଁ ଅଗଷ୍ଟ ୨୭ରେ ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା । ମାସେ ପୁରିବାକୁ ବସିଥିଲେ ବି ଏଯାଏଁ ମହାପ୍ରଭୁଙ୍କର ମୁଖ ଶୃଙ୍ଗାର ହୋଇନି । ମହାପ୍ରଭୁଙ୍କୁ ନେଇ ସେବାୟତ ମାନେ ବିଭିନ୍ନ ପ୍ରକାର ଜାଲିୟାତି କରୁଛନ୍ତି । ଟଙ୍କା- ପଇସାର ଖେଳ ମଧ୍ୟ ଚାଲୁଛି । କିନ୍ତୁ ସେହି ସେବାୟତଙ୍କୁ ବନକଲାଗି ବିଷୟରେ ପଚାରିବାରୁ ଚୁପ ଅଛନ୍ତି । ଯେଉଁ ଦତ ମହାପାତ୍ର ସେବାୟତ ଗୁରୁବାର ବନକଲାଗି କରିବାକୁ ଅଡି ବସୁଥିଲେ ଆଜି ମାସେ ପରେ ବି ନୀତିରେ ବିଭ୍ରାଟ ଦେଖିବାକୁ ମିଳୁଛି । ଖୋଲିଖୋଲି ଭାବେ ଏହି ଅବ୍ୟବସ୍ଥାକୁ ବିରୋଧ କରୁଥିବା ଦତ ମହାପାତ୍ର ସେବକ କାର୍ଯ୍ୟାନୁଷ୍ଠାନ ଚାପରେ ସ୍ୱତଲିପି ଭଙ୍ଗ ବ୍ୟବସ୍ଥାକୁ ଶ୍ରେୟ ମଣିଛନ୍ତି ।
କିନ୍ତୁ ଏସବୁ ଭିତରେ ଭକ୍ତଙ୍କ ଭାବନାକୁ କୁଠାରୋଘାତ କରାଯାଉଛି । ମହାପ୍ରଭୁଙ୍କ ଶ୍ରୀ ମୁଖ ମଳିନ ପଡିଲାଣି । ଏନେଇ ସେବାୟତ ମାନେ ବନକଲାଗି ନୀତି ପାଇଁ କାହିଁକି ସମ୍ବେଦନହୀନ ହେଉଛନ୍ତି? କିପରି ହେବ ମହାପ୍ରଭୁଙ୍କ ବନକଲାଗି ନୀତି? କେଉଁ ଦିନ ହେବ କିଏ କରିବେ ମହାପ୍ରଭୁଙ୍କ ମୁଖ ଶୃଙ୍ଗାର ? ଶ୍ରୀମନ୍ଦିର ପ୍ରଥା ପରମ୍ଫରାନୁସାରେ ନିଳାଦ୍ରି ବିଜେ ପରେ ପରେ ପଡୁଥିବା ବୁଧବାର ଦ୍ୱିପ୍ରହରରେ ବନକଲାଗି ହେବାର ବ୍ୟବସ୍ଥା ରହିଛି । କିନ୍ତୁ ଚଳିତ ବର୍ଷ ବନକଲାଗି ପାଇଁ ଦତ ମହାପାତ୍ର ସେବକ ଓ ଶ୍ରୀମନ୍ଦିର ପ୍ରଶାସନ ଭିତରେ କଥାକଟାକଟି ଯୋଗୁ ନୀତିରେ ବିଳମ୍ଭ ହୋଇଥିଲା । ବନକଲାଗି ନହେବାରୁ ମହାପ୍ରଭୁଙ୍କ ଶ୍ରୀମୁଖ ମଳିନ ଦିଶିଲାଣି । ତେବେ ଏଠି ପ୍ରଶ୍ନ ଉଠୁଛି କଣ ସେବାୟତ ଓ ମନ୍ଦିର ପ୍ରଶାସନ ଭିତରେ ସମନ୍ୱୟ ନଥିବାରୁ ଏପରି ଘଟୁଛି ? ନା ଆଉ କିଛି ସ୍ୱାର୍ଥ ରହିଛି । ବନକଲାଗିରେ ବିଳମ୍ଭ ପାଇଁ ଦାୟୀ ହେବ କିଏ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ? କୋଟି କୋଟି ଭକ୍ତଙ୍କ ଭାବନା ସହ ଖେଳୁଛି କିଏ?
ରିପୋର୍ଟ–ଡିମ୍ପଲ ସ୍ୱାଇଁ