ବାଜିଲାଣି 2024 ନିର୍ବାଚନର ବିଗୁଲ ଯାହାକୁ ନେଇ ସରଗରମ ରାଜ୍ୟ ରାଜନୀତି । ଶାସକ ଦଳ ବିଜେଡି ଚ୍ୟାଲେଞ୍ଜ କରି କହିଛି ଯେ ନବୀନଙ୍କୁ ଟକ୍କର ଦେଲା ଭଳି ନେତା ବିଜେପିରେ ନାହାନ୍ତି ଯାହାର ଜବାବରେ ବିଜେପି କହିଛି ନବୀନଙ୍କ ଠାରୁ ଅନେକ ଦକ୍ଷ ଓ ଯୋଗ୍ୟ ନେତା ଆମ ଦଳରେ ଅଛନ୍ତି । 24 ନିର୍ବାଚନକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ରାଜନୀତି ତେଜିବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି 24 ନିର୍ବାଚନ ଲଢିବ ଏବଂ ଜିତିବ । କହିଛନ୍ତି ଯେ ପୂର୍ବରୁ ମହାରାଷ୍ଟ୍ର, ହରିୟାନାରେ ମଧ୍ୟ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରି ସଫଳତା ପାଇଛି । ଆଉ ଓଡିଶାରେ ବି ସେଇ ଫର୍ମୁଲା ଲାଗୁ ହେବ ବୋଲି ସଙ୍କେତ ଦେଇଛନ୍ତି ଶ୍ରୀ ପ୍ରଧାନ ।
ତେବେ ବିଜେପିର ନବୀନଙ୍କୁ ନେଇ ଏଭଳି ମନ୍ତବ୍ୟର ଜବାବରେ ବିଜେଡି ବିଧାୟକ ଭାଗୀରଥୀ ସେଠୀ କହିଛନ୍ତି ବିଜେପିରୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯେଉଁ ସବୁ ଚେହେରା ଅଛନ୍ତି ସେମାନଙ୍କ ଫଟୋକୁ ପୋଷ୍ଟର କରି ଆଣି ଲଗାନ୍ତୁ । ଆହୁରି ମଧ୍ୟ କହିଛନ୍ତି ବିଜେପି ନିର୍ବାଚନ ତ ଜିତିପାରିବନି ମୁଖ୍ୟମନ୍ତ୍ରୀ କଥା ଉଠିଲା କେଉଁଠୁ ? ପୁଣିଥରେ ଏହାର ଜବାବରେ ବିରୋଧୀ ନେତା ଜୟନାରାୟଣ ମିଶ୍ର କହିଛନ୍ତି ନବୀନଙ୍କଠୁ ଅଧିକ ଦକ୍ଷ ଓ ଯୋଗ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଜେପିରେ ଅଛନ୍ତି ।
ବିଜେଡି ଓ ବିଜେପିର ଏହି ଲଢେଇରେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଶରତ ପଟ୍ଟନାୟକ ନିରଂଜନ ପଟ୍ଟନାୟକ, ଓ ବିଜୟ ପଟ୍ଟନାୟକ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରିବେ । ଏମାନଙ୍କ ବାଦ୍ ଆଉ କେହି ତାଙ୍କୁ ଦେଖାଯାଉନାହାନ୍ତି ବୋଲି କହି ଏକ ପ୍ରକାର କଟାକ୍ଷ କରିଛନ୍ତି ତାରା ।
ଏସବୁକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି 24 ନିର୍ବାଚନରେ ବିଜେପିରୁ କିଏ ଦେବ ନବୀନଙ୍କୁ ଟକ୍କର ? କିଏ ସେହି ପ୍ରାର୍ଥୀ ? 24 ନିର୍ବାଚନରେ କିଏ ଓହ୍ଲାଇବ ମଇଦାନକୁ ? ବିଜେଡି, ବିଜେପି ନା କଂଗ୍ରେସ ?