ଯୁଦ୍ଧ ବନ୍ଦ ପାଇଁ ହମାସ୍‌ର ଦୁଇଟି ସର୍ତ୍ତ

ଯୁଦ୍ଧ ବନ୍ଦ ପାଇଁ ହମାସ୍‌ର ଦୁଇଟି ସର୍ତ୍ତ

ଇସ୍ରାଏଲ ପକ୍ଷରୁ ଗାଜା ପଟିରେ ଗୋଟିଏ ଦିନରେ ୪୦୦ ଥର ବିମାନ ଆକ୍ରମଣ କରାଯାଇଛି। ଏଥିରେ ଗାଜା ଥରହର ହୋଇଥିବାବେଳେ ପ୍ରବଳ ଧନ-ଜୀବନ ହାନି ଘଟିଛି। ଏଥିପାଇଁ ବାହାଦୁରି ନେଉଛି ଇସ୍ରାଏଲ ସେନା ଆଇଡିଏଫ୍‌। ଗତ ୭ ତାରିଖରେ ଯୁଦ୍ଧ ଆରମ୍ଭଠାରୁ ଅଦ୍ୟାବଧି ଏଥିରେ କେବଳ ଗାଜାରେ ୨୪୦୦ ଶିଶୁଙ୍କ ସମେତ ମୋଟ ୫୮୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଗାଜାରେ ୫୭ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୭ଟି ଆମ୍ବୁଲାନ୍ସ କ୍ଷତିଗ୍ରସ୍ତ ହୋଇଛି। ମୋଟ ୧୨୨ଟି ପରିବାର ନିଶ୍ଚିହ୍ନ ହୋଇଯାଇଛନ୍ତି। ଅପରପକ୍ଷରେ ଇସ୍ରାଏଲରେ ପ୍ରାୟ ୪୦୦ ଆଇଡିଏଫ୍‌ ଯବାନଙ୍କ ସମେତ ୧୫୦୦ରୁ ଅଧିକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଉପରେ ସିରିଆ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ ଏହାର ଜବାବ ଦେଇଛି। ଇସ୍ରାଏଲ ସିରିଆର ସାମରିକ ଘାଟିକୁ ନିଶାଣ କରି ଆକ୍ରମଣ ଚଳାଇଛି। ଏଥିସହ ୱେଷ୍ଟ ବ୍ୟାଙ୍କର ବିଭିନ୍ନ ସ୍ଥାନରେ ରାତିଅଧିଆ ଚଢ଼ଉ କରାଯାଇଛି। ଏଥିସହ ହମାସ୍‌କୁ ପଣବନ୍ଦୀଙ୍କ ମୁକ୍ତି ପାଇଁ ଆଇଡିଏଫ୍‌ ଚେତାବନୀ ଶୁଣାଇଛି। ‘ଯଦି ତୁମେ ଓ ତୁମ ପରିବାର ଭବିଷ୍ୟତରେ ଶାନ୍ତିରେ ରହିବାକୁ ଚାହଁ; ତେବେ ମାନବିକତା ପ୍ରଦର୍ଶନ ପୂର୍ବକ ତୁରନ୍ତ ପଣବନ୍ଦୀଙ୍କୁ ଛାଡ଼ି ଦିଅ ଏବଂ ସେମାନଙ୍କ ସମ୍ପର୍କରେ ବିଶ୍ବାସଯୋଗ୍ୟ ସୂଚନା ଦିଅ’ ବୋଲି ଆଇଡିଏଫ୍‌ ହମାସ୍‌କୁ ଆହ୍ବାନ ଦେଇଛି। ଗାଜାରେ ହମାସ୍‌ ସମର୍ଥକଙ୍କ ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କୁ ଅନ୍ୟୂନ ୧୦ହଜାର ଡଲାର ମୂଲ୍ୟର ଘର, ନଗଦ ଅର୍ଥ ପୁରସ୍କାର ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ଏବଂ ସେମାନଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି ଇସ୍ରାଏଲ ଘୋଷଣା କରିଛି। ହମାସ୍‌ ଦୁଇ ଆମେରିକୀୟ ମହିଳା ଓ ଦୁଇ ଇସ୍ରାଏଲୀ ମହିଳାଙ୍କୁ ମୁକ୍ତ କରିଥିଲେ ମଧ୍ୟ ଆହୁରି ୨୨୨ ଜଣଙ୍କୁ ପଣବନ୍ଦୀ ରଖିଛି। ଖୁବ୍ ଶୀଘ୍ର ଏହା ୫୦ ପଣବନ୍ଦୀଙ୍କୁ ମୁକ୍ତ କରିପାରେ ବୋଲି ସୂଚନା ମିଳିଛି। ମୁକ୍ତ ପଣବନ୍ଦୀମାନେ ସେମାନଙ୍କୁ ହମାସ୍‌ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିଥିବା କହିଛନ୍ତି।


ହମାସ୍‌ ନେତା ଖଲିଦ ମେଶାଲ କହିଛନ୍ତି ଯେ ଇସ୍ରାଏଲ ଗାଜାରେ ଆକ୍ରମଣ ବନ୍ଦ କଲେ ପଣବନ୍ଦୀଙ୍କୁ ମୁକ୍ତ କରାଯିବ। ଇତିମଧ୍ୟରେ ଇସ୍ରାଏଲର ରକେଟ ମାଡ଼ରେ ୨୨ ପଣବନ୍ଦୀଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ସମ୍ପର୍କରେ ଅଧିକାଂଶ ଏସ୍ରାଏଲୀ; କିନ୍ତୁ ଏବେ ଅଧିକ ସୂଚନା ଦିଆଯାଇପାରିବ ନାହିଁ ବୋଲି ମେଶାଲ କହିଛନ୍ତି। ଯୁଦ୍ଧ ବିରତି ସମ୍ପର୍କରେ ଆଲୋଚନା ପାଇଁ ହମାସ୍‌ର ଦ୍ବାର ଉନ୍ମୁକ୍ତ ରହିଛି। ନରସଂହାର ଓ ଧ୍ବଂସଲୀଳା ବନ୍ଦ ହେଲେ କାତାର ଓ ଇଜିପ୍ଟ ସହ କିଛି ଆରବ ରାଷ୍ଟ୍ର ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଥିବା ସେ ସୂଚନା ଦେଇଛନ୍ତି। ଆଲୋଚନା ପାଇଁ ଦୁଇଟି ସର୍ତ୍ତ ରହିଛି। ଗୋଟିଏ ହେଉଛି ଆକ୍ରମଣ ବନ୍ଦ କରିବା ସହ ଗାଜାର ଉତ୍ତରରୁ ଦକ୍ଷିଣକୁ ବଳପୂର୍ବକ ଲୋକଙ୍କୁ ବାହାର କରିବା ନିର୍ଦେଶ ପ୍ରତ୍ୟାହାର ଏବଂ ଦ୍ବିତୀୟଟି ହେଉଛି ଇସ୍ରାଏଲ ଅଧିକୃତ ଅଞ୍ଚଳକୁ ଫେରାଇବା। କେବଳ ସେତିକି ନୁହେଁ; ଆଇଡିଏଫ୍‌ ବିରୋଧରେ ଲଢ଼ିବା ପାଇଁ ହମାସ୍‌ ମାସିକ ୧୦ହଜାର ଡଲାର ଭତ୍ତା ଦେଇ ନୂଆ ସଦସ୍ୟଙ୍କୁ ନିଯୁକ୍ତି ଦେଉଛି। ସେମାନଙ୍କୁ ଅଧିକ ପଣବନ୍ଦୀ ସଂଗ୍ରହ କରିବା ପାଇଁ ସେମାନଙ୍କୁ ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି।


ଆଇଡିଏଫ୍‌ ପକ୍ଷରୁ ଗାଜା ଉପରେ ସ୍ଥଳଭାଗରୁ ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଘୋଷଣା କରାଯାଇଛି; ତେବେ ଏହି ଯୋଜନା ସେନା ଓ ରାଜନୈତିକ ନେତୃତ୍ବଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ଅଟକିଥିବା ସୂଚନା ମିଳିଛି। ବରିଷ୍ଠ ସେନାଧିକାରୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଅଧିକ ଏସ୍ରାଏଲୀ ନିହତ ହେବା ନେଇ ଆରୋପ ପ୍ରତ୍ୟାରୋପ ଚାଲିଛି। ଗତ ୭ ତାରିଖରେ ଯାହା ଘଟିଲା ସେଥିପାଇଁ ସେନାକୁ ନେତାନ୍ୟାହୁ ଦୋଷ ଦେବା ହିଁ ବିବାଦର କାରଣ ହୋଇଛି। ଯାହାହେଉ, ଏହି ବିବାଦ ଯୋଗୁଁ ଭୂପୃଷ୍ଠରୁ ଆକ୍ରମଣ ଆରମ୍ଭ ହୋଇପାରି ନାହିଁ। ଅପରପକ୍ଷରେ ପରିସ୍ଥିତି ଜଟିଳ ହେବା ନେଇ ମଙ୍ଗଳବାର ଜାତିସଂଘରେ ବିଶେଷ ଆଲୋଚନା ହୋଇଛି। ଆଲୋଚନାରେ ଅଂଶଗ୍ରହଣ କରି ଭାରତୀୟ ଦୂତ ଆର. ରବୀନ୍ଦ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିପୁଳ ଜୀବନହାନି ନେଇ ଭାରତ ଚିନ୍ତିତ ଥିବା ସେ କହିଛନ୍ତି। ଇସ୍ରାଏଲ ଜାତିସଂଘ ଅଧିକାରୀଙ୍କ ଭିସା ଅଟକାଇଥିବା କୁହାଯାଉଛି। ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ହମାସ୍‌କୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ସମର୍ଥନ କରିଥିବା ନେଇ ଚାଲିଥିବା ପ୍ରଚାରକୁ ସେ ଖଣ୍ଡନ କରିଛନ୍ତି। ଇସ୍ରାଏଲ ଗସ୍ତରେ ଆସିଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁ ଖୁବ୍‌ ଶୀଘ୍ର ଗାଜାକୁ ମାନବୀୟ ସହାୟତା ପଠାଇବେ ବୋଲି କହିଛନ୍ତି। ପରେ ସେ ଇଜିପ୍ଟ ଯାଇଛନ୍ତି।


ଅନ୍ୟ ଏକ ଘଟଣାରେ ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୋଲ୍ଲାର ମୁଖ୍ୟ ସୟଦ ହାସାନ୍‌ ନାସରାଲ୍ଲା ଓ ହମାସ୍‌ ଉପମୁଖ୍ୟ ଶେଖ୍‌ ସାଲେ ଅଲ୍‌-ଅରୌରିଙ୍କ ମଧ୍ୟରେ ଗୋପନୀୟ ଆଲୋଚନା ହୋଇଥିବା ଜଣାପଡ଼ିଛି। ଅରୌରି ହେଉଛନ୍ତି ହମାସ୍‌ ଜିହାଦ୍‌ ବାହିନୀ ମୁଖ୍ୟ। ସେମାନେ ଇସ୍ରାଏଲ ସେନା ଲେବାନନ୍‌ ସୀମାରେ ଚଳାଇଥିବା ଆକ୍ରମଣ ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ସାମ୍ପ୍ରତି ଯୁଦ୍ଧରେ ଇସ୍ରାଏଲ ସେନା ହେଜ୍‌ବୋଲ୍ଲା, ସିରିଆ ଓ ଇରାନ୍‌ ପ୍ରାୟାଜିତ ଆତଙ୍କବାଦୀ ସଂଗଠନ ବିରୋଧରେ ଲଢ଼ୁଛି। ପାଲେଷ୍ଟାଇନ୍‌, ଲେବାବନନ୍‌ ଓ ସିରିଆ ବିରୋଧରେ ବସ୍ତୁତଃ ଇସ୍ରାଏଲ ସେନା ଲଢ଼ୁଛି। ଲେବାବନ୍‌ରେ ଇସ୍ରାଏଲ ଆକ୍ରମଣରେ ଏବେ ସୁଦ୍ଧା ୫୨ ଜଣ ପ୍ରାଣ ହରାଇଲେଣି।

author

Related Articles

Leave a Reply

Your email address will not be published. Required fields are marked *